ରଥଯାତ୍ରାର ସୁରକ୍ଷା ପାଇଁ ମା ମଙ୍ଗଳାଙ୍କୁ ଦର୍ଶନ କଲେ ଆଇଜି ସତ୍ୟଜିତ ନାୟକ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ୨୦୨୬କୁ ସଫଳ, ନିରାପଦ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଆଶୀର୍ବାଦ ଭିକ୍ଷା କଲେ ଆଇଜି ସତ୍ୟଜିତ ନାୟକ। ଶନିବାର ପୂର୍ବାହ୍ନରେ ସେ ମାଙ୍କ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରିଥିଲେ। ଏହି ଅବସର ରେ ଆଇଜି ଶ୍ରୀ ନାୟକ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ।ଆଗାମୀ ରଥଯାତ୍ରାର ସଫଳ, ନିରାପଦ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପବିତ୍ର କାକଟପୁର ମନ୍ଦିର ରେ ମା ମଙ୍ଗଳାଙ୍କ ଦୈବୀ ଆଶୀର୍ବାଦ କାମନା କଲି। ଏତିକିରେ ସୀମିତ ନରହି ସେ ଆଉ ଏକ ଅଭିନବ ପଦକ୍ଷେପ ମଧ୍ୟ ନେଇଛନ୍ତି। ସେ ଆହୁରି ଲେଖିଛନ୍ତି, ଏହି ଶୁଭ ଅବସର ରେ ରଥଯାତ୍ରା, ୨୦୨୬ ପାଇଁ ପ୍ରସ୍ତୁତ ହୋଇଥିବା ପୋଲିସ ବ୍ୟବସ୍ଥାର କପି ମଧ୍ୟ ପବିତ୍ର ମନ୍ଦିର ରେ ଭକ୍ତିର ସହ ଅର୍ପଣ କରାଯାଇଥିଲା। ସମସ୍ତ ଭକ୍ତଙ୍କ ମଙ୍ଗଳ ଏବଂ ପର୍ବର ସୁରୁଖୁରୁ ସମ୍ପାଦନ ପାଇଁ ମା”ଙ୍କ ଆଶୀର୍ବାଦ ପ୍ରାର୍ଥନା କରାଯାଇଥିଲା। କୁହାଯାଏ ମା ମଙ୍ଗଳା ହେଉଛନ୍ତି ଜଗତ ଜନନୀ। ଓଡିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ଏହି ପୀଠ। ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ଏଠାକୁ ଆସି ଆଶୀର୍ବାଦ ନେବା ପରମ୍ପରା ରହିଛି। ଏଥର ମଧ୍ୟ ସେହି ପରମ୍ପରାକୁ ଆଗକୁ ବଢାଇଲେ ଆଇଜି ସତ୍ୟଜିତ ନାୟକ। ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀ ଓ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଲକ୍ଷ ଲକ୍ଷ ଭକ୍ତ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ, ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଏଭଳି ସମୟରେ ପୋଲିସ ବ୍ୟବସ୍ଥାକୁ ମା’ ମଙ୍ଗଳାଙ୍କ ପାଖେ ଅର୍ପଣ କରିବାର ଅର୍ଥ ହେଉଛି ପ୍ରଶାସନର ଆସ୍ଥା ଓ ବିଶ୍ବାସ।ମନ୍ଦିର ପରିସର ରେ ଆଇଜିଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତରୀୟ ଓ ମା”ଙ୍କ ପ୍ରସାଦ ଦେଇ ସମ୍ବର୍ଦ୍ଧନା ଜଣାଯାଇଥିଲା। ସ୍ଥାନୀୟ ଭକ୍ତମାନେ ମଧ୍ୟ ଆଇଜିଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେମାନେ କହିଛନ୍ତି ଯେ ପ୍ରଶାସନ ଯେତେବେଳେ ଭକ୍ତି ଓ ବିଶ୍ବାସ ସହ କାମ କରେ, ସେତେବେଳେ ସବୁ କାର୍ଯ୍ୟ ସୁରୁଖୁର ରେ ସମ୍ପନ୍ନ ହୋଇଥାଏ। ମା ମଙ୍ଗଳାଙ୍କ ଆଶୀର୍ବାଦ ସହ ଏବେ ସମସ୍ତଙ୍କ ନଜର ଆଗାମୀ ରଥଯାତ୍ରା ଉପରେ। ପ୍ରଶାସନ ମଧ୍ୟ ଆଶା ରଖିଛି ଯେ ମା”ଙ୍କ କୃପାରୁ ଏଥର ରଥଯାତ୍ରା ଐତିହାସିକ ଓ ନିରାପଦ ହୋଇପାରିବ। ଭକ୍ତମାନେ ମଧ୍ୟ ମାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯେ ବିନା ବିଘ୍ନରେ ରଥଯାତ୍ରା ସମ୍ପନ୍ନ ହେଉ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ