ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ଆସିକା (ୱାଇଏନ୍ଏସ୍): ସଫେଇମିତ୍ରଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପରାମର୍ଶକ୍ରମେ ମଙ୍ଗଳବାର ଆସିକା ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନ୍ୟାସ୍ନାଲ୍ ଆକ୍ସନ୍ ଫର୍ ମେକାନାଇଜ୍ଡ ସାନିଟେସନ୍ ଇକୋ ସିଷ୍ଟମ୍ କାର୍ଯ୍ୟକ୍ରମ ଅନୁଯାୟୀ ଏହି ନମସ୍ତେ ଦିବସ ପାଳନ କରାଯାଇଥିଲା ବେଳେ ଏଥି ଉପଲକ୍ଷେ ସଫେଇ କର୍ମଚାରୀମାନଙ୍କ ସକାଶେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ପୌର ପରିଷଦ ପରିସରଭୁକ୍ତ ୧୮ଟି ୱାର୍ଡର ସାହିବସ୍ତିର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲାଗି ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ କିପରି ସୁସ୍ଥ ଓ ନିରୋଗ ରହିବ ତାହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ସହରର ୫ ନମ୍ବର ୱାର୍ଡର ହାଟପଦା ଛକ ନିକଟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଂଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର) ପରିସରରେ ସଫେଇ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ନମସ୍ତେ ଦିବସ ପାଳନ ଅବସରରେ ଆସିକା ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଉପସ୍ଥିତ ରହି ଆସିକା ପୌର ପରିଷଦର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀମାନଙ୍କ ରକ୍ତଚାପ, ମଧୂମେହ, ରକ୍ତକଣିକା (ହିମୋଗ୍ଳୋବିନ୍) ସମେତ ଅନ୍ୟାନ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପକ୍ଷରୁ ନମସ୍ତେ ଦିବସ ପାଳନ ଅବସରରେ ଅନୁଷ୍ଠିତ ସଫେଇ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ସୁପରିଚାଳନା କରିବା ଦିଗରେ ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ ଓ ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍ ନାହାକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


