ଆଦର୍ଶ ବିଦ୍ୟାଳୟ ରାସ୍ତା ଶୋଚନୀୟ: ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ନିକଟସ୍ଥ ଝାମରାଗୁଡା ଗ୍ରାମରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ରହିଥିବା ଦେଖାଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଦୁର୍ଦଶା ଭୋଗୁଥିବା ବେଳେ ଅଭିଭାବକ ମୋହଲରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ମୁନିଗୁଡାରୁ କଳାହାଣ୍ଡି ଦେଇ ଯାଇଥିବା ଷ୍ଟେଟ ହାଇୱେ ରାସ୍ତାକୁ ସଂଯୋଗ କରୁଥିବା ଆରଡ଼ି ବିଭାଗ ରାସ୍ତା ଯାହାକି ଆଦର୍ଶ ବିଦ୍ୟାଳୟକୁ ଯାଉଛି ସେହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇ ରହିଥିବା ବେଳେ ଏବେ ହୋଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଆହୁରି ଅଧିକ ସଚୋନୀୟ ହୋଇ ରାସ୍ତା ସାରା କାଦୁଅ ପଚପଚ ହୋଇ ବେହାଲ ହୋଇପଡ଼ିଛି। ବିଦ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା କିଛି ଗାଡି ଓ ଅଭିଭାବକ ମାନେ ନିଜ ନିଜ ପିଲା ମାନଙ୍କୁ ନେଇ ବ୍ୟକ୍ତିଗତ ଗାଡି ହଇରାଣ ହରକତ ହେବା ସହ ବେକେ ବେଳେ କାଦୁଅରେ ଫସି ଯାଉଥିବା ନେଉ ଛାତ୍ରଛାତ୍ରୀ, ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ସ୍ଥାପନ ସମୟରେ ପୂର୍ତ୍ତ ବିଭାଗ ଦ୍ୱାରା ବିଦ୍ୟାଳୟ ଯାଏ ପିଚୁରାସ୍ତାର ବ୍ୟବସ୍ଥା ହୋଇଥିଲା କିନ୍ତୁ ଏହି ବିଦ୍ୟାଳୟ ରାସ୍ତା ଦେଇ କିଛି ଟ୍ରକ, ଟ୍ରାକ୍ଟର ସହ ବଡ଼ ଗାଡି ଚଳାଚଳ କରିବାରୁ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଲା l ଏହି ସମସ୍ୟାକୁ ନେଇ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ମିଲି ଷଣ୍ଢ ଅନେକ ସମୟରେ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ବିଭାଗ ତରଫରୁ କିଛି ପଦକ୍ଷେପ ନିଆଯାଇନାହିଁ l ଫଳରେ ବର୍ଷାଦିନ ଆସିଲେ ସେହି ରାସ୍ତାରେ ଗାଡ଼ିମୋଟର ଯାତାୟାତରେ ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଯିବା ମୁସ୍କିଲ ହୋଇପଡୁଥିବା ଅଭିଯୋଗ ହୋଇଛି। ଏନେଇ ଆରଡ଼ି ବିଭାଗର କନିଷ୍ଠଯନ୍ତ୍ରୀ ସୁଜ୍ଞାନୀ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଏହି ରାସ୍ତାର ଏସ୍ଟିମେଟ ସହ ଏପ୍ରୁବାଲ ମଧ୍ୟ ହୋଇଯାଇଛି ଟେଣ୍ଡର ଡକାଯିବା ପରେ ଏଗ୍ରିମେଣ୍ଟ ହୋଇ ଅଗଷ୍ଟ ମାସ ଶେଷ ସୁଦ୍ଧା ରାସ୍ତା କାର୍ଯ୍ୟ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ତୁରନ୍ତ ଉକ୍ତ ରାସ୍ତା ସମସ୍ୟାର ସମାଧାନ କଲେ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଅଭିଭାବକ ତଥା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


