ନୃସିଂହ ଅବତାରରେ ଦର୍ଶନ ଦେଲେ ଦାରୁବ୍ରହ୍ମ
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଆଡପ ମଣ୍ଡପ ଗୁଡିକରେ ବିଜେ ଶ୍ରୀଜିଉଙ୍କ ନୃସିଂହ ଅବତାର ବେଶ ଦର୍ଶନ କରିବା ଲାଗି ସୋମବାର ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଆଡପମଣ୍ଡପରେ ବିଜେ କୋଟି କୈବଲ୍ୟନାଥଙ୍କୁ ପୂଜାର୍ଚ୍ଚନା ପାଇଁ ଉପସ୍ଥିତ ଥିବା ସେବାୟତମାନେ ନବଦିନାତ୍ମକ ଯାତ୍ରାର ଚତୁର୍ଥ ଦିବସରେ ସୋମବାର ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସାଙ୍ଗକୁ ନୃସିଂହ ଅବତାର ବେଶରେ ସଜ୍ଜିତ କରାଇଥିବା ବେଳେ ଆଡପମଣ୍ଡପ ଗୁଡିକରେ ସାଂନ୍ଧ୍ୟଆଳତୀ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଜଗତକର୍ତ୍ତାଙ୍କ ନୃସିଂହ ଅବତାର ବେଶ ଦର୍ଶନ କରି ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ଆଡପମଣ୍ଡପରେ ପ୍ରଭୂ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦୀପ ଦାନକରି ପୂଜାର୍ଚ୍ଚନା କରିଥିଲେ । ନବଦିନ ବ୍ୟାପୀ ପବିତ୍ର ଘୋଷଯାତ୍ରାର ପ୍ରଥମ ଦିବସରେ ଶ୍ରୀ ବିଗ୍ରହଙ୍କ ମତ୍ସ୍ୟ ଅବତାର ବେଶ ଅନୁଷ୍ଠିତ ହୋଇଥିଲା ବେଳେ ଦ୍ୱିତୀୟ ଦିବସରେ କଚ୍ଛପ ଅବତାର, ତୃତୀୟ ଦିବସରେ ବରାହ ଅବତାର ବେଶ ଅନୁଷ୍ଠିତ ହୋଇଯାଇଛି । ଆଡପମଣ୍ଡପରେ ପୂଜା ପାଉଥିବା ଶ୍ରୀଜିଉଙ୍କ ନୃସିଂହ ଅବତାର ବେଶ ଦର୍ଶନ କରି ଭକ୍ତ ବିମୋହିତ ହୋଇପଡିଥିଲା ବେଳେ ମନ୍ଦିର ଗୁଡିକ ଶଙ୍ଖ, ଘଣ୍ଟ, ମୃଦଙ୍ଗ ଧ୍ୱନିରେ ଫାଟି ପଡୁଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପୌର ପରିଷଦ ଅଧିନସ୍ଥ ଲାଲାଗୋର୍ଜୀ ଛକ, ଖମ୍ବେଶ୍ୱରୀପାଟଣା, ବଜାର ସାହି, ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁ, କାଳଷଣ୍ଢପୁର, ଦାମୋଦରପଲ୍ଲୀ, ନଳବଣ୍ଟା, ଧନିଜା, କେନ୍ଦୁପଦର, ଗହଙ୍ଗୁ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଆଡପମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା ବେଳେ ସମସ୍ତଙ୍କ ମୁହଁରେ ଜୟଜଗନ୍ନାଥ ଧ୍ୱନିରେ ଆଡପମଣ୍ଡପ ପରିସରରେ ଏକ ଭକ୍ତମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଆଡପ ମଣ୍ଡପ ଗୁଡିକରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଭକ୍ତ ଓ ଭଗବାନ ଏକାକାର ହୋଇପଡିଥିଲେ। ଆଡପ ମଣ୍ଡପ ଗୁଡିକରେ ସୋମବାର ପ୍ରତ୍ୟୁଷରୁ ମଙ୍ଗଳଆଳତୀ ସହ ପୂଜାର୍ଚ୍ଚନା ହୋଇଥିଲା ବେଳେ ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଅନ୍ନଭୋଗ ସମ୍ପର୍ଣ୍ଣ ପରେ ନୃସିଂହ ଅବତାର ବେଶରେ ସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଥିଲା। ଆଡପ ମଣ୍ଡପ ଗୁଡିକରେ ବିଜେ ଭାବର ଠାକୁର ଭକ୍ତବତ୍ସଳ ମହାପ୍ରଭୂ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କୁ ନିଷ୍ଠା ଓ ଭକ୍ତିର ସହକାରେ ନିର୍ମଳ ମନରେ ଏବଂ ସ୍ୱଚ୍ଛ ହୃଦୟର ସହ ଦର୍ଶନ ଓ ପୂଜାର୍ଚ୍ଚନା କଲେ ଶତକୋଟି ଜନ୍ମର ପାପନାଶ ହୁଏ ବୋଲି ବିଶ୍ୱାସ ରହିଥିବାରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି ।


