ଏସ୍‌ସିବି ମେଡ଼ିକାଲ ନୂଆ ବିଲ୍ଡିଂ କାମର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଟକ, (ଓ୍ବାଇଏନଏସ): ଏସ୍‌ସିବି ନିର୍ମାଣଧିନ ନୂତନ ବିଲଡିଂର କାମ ଆଗେଇ ଚାଲିଛି । ଆଜି ଏହି ବିଲ୍ଡିଂ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ ସମୟରେ ମନ୍ତ୍ରୀ ନୂତନ ନିର୍ମାଣଧୀନ ହସ୍ପିଟାଲ ବ୍ଲକ, ପିଜି ହଷ୍ଟେଲ, ରେସିଡେଣ୍ଟ ଡାକ୍ତରମାନଙ୍କ ହଷ୍ଟେଲ ଏବଂ ସହକାରୀ ପ୍ରଫେସରମାନଙ୍କ ବାସଭବନ ବୁଲି ଦେଖିଥିଲେ। ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣର ଅଗ୍ରଗତି, କାର୍ଯ୍ୟର ଗୁଣବତ୍ତା ସମ୍ପର୍କରେ ସେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରୀ ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ । ହସ୍ପିଟାଲର ପ୍ରତ୍ୟେକ ଭବନରେ ଅଗ୍ନି ନିର୍ବାପକ ଉପକରଣ, ଜରୁରୀକାଳୀନ ନିର୍ଗମନ ପଥ, ଫାୟାର ଆଲାର୍ମ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହିତ ନିୟମିତ ଅଡିଟ୍ ଓ ମକ୍ ଡ୍ରିଲ୍ ଆୟୋଜନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ମନ୍ତ୍ରୀ କହିଥିଲେ ଯେ, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ରାଜ୍ୟର ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ହୋଇଥିବାରୁ ଏଠାରେ ରୋଗୀ ସେବାର ମାନ, ଚିକିତ୍ସା ଭିତ୍ତିଭୂମି ଏବଂ ଶିକ୍ଷାନୁକୂଳ ପରିବେଶକୁ ଆହୁରି ଉନ୍ନତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣାତ୍ମକମାନ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ରୋଗୀଙ୍କ ସୁବିଧା, ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟ ପରିବେଶ ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ରହଣି ସୁବିଧାରେ ଉନ୍ନତି ଆଣିବା ମୁଖ୍ୟ ଉଦ୍ଦେଶ୍ୟ। ନୂତନ ଭିତ୍ତିଭୂମି ସୃଷ୍ଟି ହେଲେ ରୋଗୀ ସେବାର ମାନ ବୃଦ୍ଧି ପାଇବା ସହିତ ରାଜ୍ୟର ଚିକିତ୍ସା ଶିକ୍ଷା ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହେବ । ପରିଦର୍ଶନ ସମୟରେ ମନ୍ତ୍ରୀ ହସ୍ପିଟାଲ ପରିସରର ପରିମଳ ବ୍ୟବସ୍ଥା, ରୋଗୀ ସୁବିଧା, ଜଳ ଓ ବିଦ୍ୟୁତ ଯୋଗାଣ, ଯାତାୟତ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ । ଆବଶ୍ୟକତା ଅନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରି ରୋଗୀ ଏବଂ ସେମାନଙ୍କ ପରିଜନଙ୍କୁ ଉନ୍ନତ ଓ ସୁବିଧାଜନକ ସେବା ପ୍ରଦାନ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ଏହି ପରିଦର୍ଶନ ଅବସରରେ ମାନ୍ୟବର କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ , ମାନ୍ୟବର ଚୌଦ୍ଵାର କଟକ ବିଧାୟକ ଶ୍ରୀ ଶୌଭିକ ବିଶ୍ଵାଳ ,ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଅଶ୍ୱତୀ ଏସ୍., ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କର୍ତ୍ତୃପକ୍ଷ, କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀମାନେ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ