ଓଡ଼ିଶା ହାଇକୋର୍ଟଙ୍କ ସହ ଏକମତ ହେଲେ ସୁପ୍ରିମ୍କୋର୍ଟ, ‘ଅପାର’ ଆଇଡି ସମ୍ପୂର୍ଣ ଇଚ୍ଛାଧୀନ
କଟକ, (ଓ୍ବାଇଏନଏସ): ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଅପାର (ଅଟୋମେଟଡ୍ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ୍ ରେଜିଷ୍ଟ୍ରି) ଆଇଡି ସଂପୂର୍ଣ୍ଣ ଇଚ୍ଛାଧୀନ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ଏକ ରାୟ ସହ ଏକମତ ହୋଇଛନ୍ତି ସୁପ୍ରିମ୍କୋର୍ଟ । ଓଡ଼ିଶା ହାଇକୋର୍ଟଙ୍କ ଏହି ରାୟକୁ ଆଧାର କରି ସୁପ୍ରିମ୍କୋର୍ଟ ଅପାର ଆଇଡି ବ୍ୟବସ୍ଥାକୁ ସାରା ଦେଶରେ ଇଚ୍ଛାଧୀନ ବା ଅପଟ୍-ଆଉଟ୍’ ମଡେଲ୍ରେ ଲାଗୁ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ)କୁ ନିର୍ଦ୍ଦେଶ ଦେବାକୁ ଯାଉଛନ୍ତି । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୋମାଲ୍ୟା ବାଗ୍ଚି ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ରାୟରେ ସହମତି ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଅପାର ଆଡି ହାସଲ କରିବା ବାଧ୍ୟତାମୂଳକ କରାଯାଇଥିବା ଅଭିଯୋଗ କରି ଅଭିଷେକ ବକ୍ସି ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ଯୁକ୍ତିରେ ଦର୍ଶାଇଥିଲେ ଯେ, ଅପାର ଆଇଡି ଯୋଜନାକୁ ଇଚ୍ଛାଧୀନ ବୋଲି କୁହାଯାଉଥିଲେ ମଧ୍ୟ ବ୍ୟବହାରିକ କ୍ଷେତ୍ରରେ ଏହା ବାଧ୍ୟତାମୂଳକ ହୋଇପଡ଼ିଛି । ବିଶେଷ କରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସିବିଏସ୍ଇ ରେକର୍ଡରେ ସାମିଲ ହେବା ପାଇଁ ଆଧାର-ଲିଙ୍କଡ୍ ଅପାର ଆଇଡି ବାଧ୍ୟତାମୂଳକ କରାଯାଇଛି, ଯାହାକି ଛାତ୍ରଛାତ୍ରୀଙ୍କ ଗୋପନୀୟତାର ଅଧିକାରକୁ ଉଲ୍ଲଂଘନ କରୁଛି । ସୁପ୍ରିମକୋର୍ଟ ଏହି ଅବସରରେ କହିଛନ୍ତି ଯେ, ସମ୍ପ୍ରତି ଦେଶରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ଲାଗୁ ହୋଇଛି । କୌଣସି କର୍ତ୍ତୃପକ୍ଷ ଏହି ଆଇନକୁ ଉଲ୍ଲଂଘନ କରିପାରିବେ ନାହିଁ । ଓଡ଼ିଶା ହାଇକୋର୍ଟ ଯେଉଁ ‘ଅପଟ୍-ଆଉଟ୍’ ବ୍ୟବସ୍ଥା (ଅର୍ଥାତ୍ ଛାତ୍ରଛାତ୍ରୀ ଚାହିଁଲେ ଏଥିରୁ ବାଦ୍ ପଡ଼ିପାରିବେ) ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ତାହାକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବାକୁ ଯାଉଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଅପାର ଆଇଡି ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ୱାନ୍ ନେସନ୍, ୱାନ୍ ଷ୍ଟୁଡେଣ୍ଟ ଆଇଡି’ ଅଧୀନରେ ଆସୁଛି । ଅପାର ହେଉଛି ୧୨ ଅଙ୍କ ବିଶିଷ୍ଟ ଏକ ସ୍ୱତନ୍ତ୍ର ଆଜୀବନ ଏକାଡେମିକ୍ ପରିଚୟ ନମ୍ବର । ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାର୍କସିଟ୍, ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମର ରେକର୍ଡ ଡିଜି ଲକର୍ରେ ସଂରକ୍ଷିତ ରଖାଯାଏ । ଏହି ନିଷ୍ପତ୍ତି ଦ୍ୱାରା ଛାତ୍ରଛାତ୍ରୀମାନେ ଏବେ ଏହି ସେବାରେ ସାମିଲ ହେବେ କି ନହେବେ ସେ ନେଇ ନିଷ୍ପତ୍ତି ନେଇପାରିବେ, ଯାହା ତଥ୍ୟ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।


