ଆଇଜି, ଡିଆଇଜି ଓ କନ୍ଧମାଳ ଏସପିଙ୍କୁ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, (ଓ୍ବାଇଏନଏସ): ଚାକିରିରେ ଜଣେ ପୁଲିସ କନଷ୍ଟେବଳଙ୍କୁ ପୁନର୍ବାର ଅବସ୍ଥାପିତ କରିବା ପ୍ରସଂଗରେ ପୂର୍ବରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନ କରିବା କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଅବହେଳାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଦକ୍ଷିଣାଞ୍ଚଳ ପୁଲିସ ଆଇଜି , ପୁଲିସ ଡିଆଇଜି(କାର୍ମିକ) ଓ କନ୍ଧମାଳ ଏସପିଙ୍କୁ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କନ୍ଧମାଳ ଜିଲ୍ଲାର ପୂର୍ବତନ କନଷ୍ଟେବଳ ବଂଶୀଧର ବାରିକଙ୍କ ତରଫରୁ ଦାୟର ଅଦାଲତ ଅବମାନନା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜୁଲାଇ ୩୧କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଅଧିକ ସମୟ ପ୍ରଦାନ ପାଇଁ ନିବେଦନ କରାଯାଥିବା ବେଳେ ଏହାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥି‌ଲେ। ଜୁଲାଇ ୩୧ ତାରିଖ ସୁଦ୍ଧା ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ସମ୍ପର୍କିତ ସତ୍ୟପାଠ ଦାଖଲ ନ ହେଲେ ପ୍ରତିପକ୍ଷ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଉପରୋକ୍ତ ଅଧିକାରୀମାନେ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହେବେ। ଯଦି ଜୁଲାଇ ୩୧ ସୁଦ୍ଧା ନିର୍ଦ୍ଦେଶ କାର୍ଯ୍ୟକାରୀ ସତ୍ୟପାଠ ଦାଖଲ କରାଯାଏ ତେବେ ଏହି ଅଧିକାରୀମାନଙ୍କୁ ହାଜର ହେବାକୁ ପଡ଼ିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଏକ ଫୌଜଦାରୀ ମାମଲାରେ ସଂପୃକ୍ତି ପରେ ଆବେଦନକାରୀ କନଷ୍ଟେବଳଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଫୌଜଦାରୀ ମାମଲାରେ ସେ ଦୋଷମୁକ୍ତ ହୋଇଥିଲେ। ଏହାପରେ ସେ ବହିଷ୍କାର ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ବିଭାଗୀୟ ଦଣ୍ଡାଦେଶକୁ ରଦ୍ଦ କରି ଆବେଦନ‌କାରୀଙ୍କୁ ଚାକିରିରେ ପୁନର୍ବାର ଅବସ୍ଥାପିତ ପାଇଁ ୨୦୨୪, ନଭେମ୍ବର ୨୦ରେ ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠରେ ଦାୟର କରିଥିବା ରିଟ ଅପିଲ ୨୦୨୬, ମାର୍ଚ୍ଚ ୨୦ରେ ଖାରଜ ହୋଇଥିଲ। ଏହା ପରେ ମଧ୍ୟ ରାଜ୍ୟ ସରକାର ଆବେଦନକାରୀଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରି ନଥିଲେ। ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବାରମ୍ବାର ସମୟ ‌ଲୋଡାଯିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ