ବନ୍ୟା ପରିଚାଳନାଗତ ତ୍ରୁଟି ବିଷୟରେ ସାମ୍ବାଦିକ ସମ୍ମିଳନୀ
ଧାମନଗର (ଓ୍ବାଇଏନଏସ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମଙ୍ଗଳବାର ଧାମନଗର ବ୍ଲକର ବନ୍ୟା ଓ ଜଳବନ୍ଦୀ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବନ୍ୟା ପରିଚାଳନା ତ୍ରୁଟି ବିଷୟରେ ହସନାବାଦ ପଞ୍ଚାୟତ ଠାରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପରେ ବନ୍ୟା ଓ ଜଳବନ୍ଦୀ ପ୍ରଭାବିତ ଅଞ୍ଚଳ ବାଇକ ସାହାଯ୍ୟରେ ଗସ୍ତ କରି ସ୍ଥିତି ଅନୁଧ୍ୟାନ ସହିତ କ୍ଷତିଗ୍ରସ୍ତ ଲୋକଙ୍କୁ ସୁଖ ଦୁଃଖ ପଚାରି ବୁଝିଲେ ପୂର୍ବତନ ମନ୍ତ୍ରୀ ବିଜେଡି ନେତା ସଞ୍ଜୟ ଦାସବର୍ମା। ଏହି ଅବସରରେ ଶ୍ରୀ ସଞ୍ଜୟ ଦାସବର୍ମା ସାହସପୁର ପଞ୍ଚାୟତର ତାରିଣୀ ଛକ ଏବଂ ବମକୁରା ପଞ୍ଚାୟତର ଦେଉଳଡ଼ିହ ଜେନାସାହି, ଖଡ଼ିମାହାରା ଓ ଘାଟସାହି ଅଞ୍ଚଳ ବୁଲି ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ସମୟରେ କ୍ଷତିଗ୍ରସ୍ତ ଚାଷୀମାନେ ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଧାନ ତଳିର ନମୁନା ଦେଖାଇ ନିଜ ଦୁଃଖ ବଖାଣିଥିଲେ ଉପସ୍ଥିତ ଚାଷୀ। ଗସ୍ତ ବେଳେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ଯେ,ବନ୍ୟାର ଏତେଦିନ ପରେ ମଧ୍ୟ ସରକାରୀ ଅଧିକାରୀ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସହାୟତା ସେମାନଙ୍କ ନିକଟରେ ପହଞ୍ଚିନାହିଁ। ପଲିଥିନ୍, ଚୁଡ଼ା, ଗୁଡ଼ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମିଳିନଥିବା ସେମାନେ କହିଥିଲେ। ବମକୁରା ପଞ୍ଚାୟତର ଶେଷ ସୀମା ଘାଟସାହି ମୁଖ୍ୟ ରାସ୍ତା ଉପରେ ଏବେ ମଧ୍ୟ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ଯାତାୟାତ ବ୍ୟାହତ ହେଉଥିବା ଅଭିଯୋଗ ହୋଇଥିଲା। ସେହିପରି ଗେଙ୍ଗୁଟି ନଦୀ କୂଳରେ ପୂର୍ବରୁ ଆରମ୍ଭ ହୋଇଥିବା ଘେରୀ ବନ୍ଧ କାମ ଅଧୁରା ପଡ଼ିରହିଥିବାରୁ ପ୍ରତିବର୍ଷ ବନ୍ୟା ବିପଦ ବଢ଼ୁଥିବା ନେଇ ସ୍ଥାନୀୟ ଲୋକେ ଉଦ୍ବେଗ ପ୍ରକାଶ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଲା ବିଶ୍ୱାଳ,ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ସଞ୍ଜୟ କୁମାର ଦାସ,ଧୁଷୁରୀ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ,ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ, ଧାମନଗର ଏନ୍ଏସି ଅଧ୍ୟକ୍ଷା ନିବେଦିତା ଜେନା,ଜିଲ୍ଲା ମହିଳା ସଭାନେତ୍ରୀ ବିଦ୍ୟୁତ ଲତା ନାୟକ,ଜିଲ୍ଲା ଯୁବ ସଭାପତି ରାକେଶ ପଣ୍ଡା,ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ,ସରପଞ୍ଚ ଅଜୟ କୁମାର ମଲ୍ଲିକ,ଶୀତାକାନ୍ତ ମିଶ୍ର,ଶରିତା ମହାନ୍ତି,ସସମିତି ସଭ୍ୟ ସୁଦୀପ୍ତ ଖଟୁଆ,ବିଜେଡି ନେତା ଉମେଶ ମହାନ୍ତି,ସନ୍ଦିପ ଶେଖର ସ୍ୱାଇଁ,ଧାମନଗର ବ୍ଲକ ଯୁବ ସଭାପତି ଭାରତ ବିଜୟ ଦଳେଇ,ବମକୁରା ପଞ୍ଚାୟତ ସରପଞ୍ଚ ନରେନ୍ଦ୍ର ନାରାୟଣ ନାୟକ ଓ ଶାସପୁର ପଞ୍ଚାୟତ ସରପଞ୍ଚ ସରସ୍ୱତୀ ସାହୁଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।


