ମାଗଣା ୟୁନିଫର୍ମରେ ଦୁର୍ନୀତି ଅଭିଯୋଗ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ପିଲାଙ୍କ ପାଇଁ ସରକାର ଦେଉଥିବା ମାଗଣା ୟୁନିଫର୍ମ ଏବେ ଦୁର୍ନୀତିର ଆଡ୍ଡା ପାଲଟିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ୨୦୨୫-୨୬ ଓ ୨୦୨୬-୨୭ ଶିକ୍ଷାବର୍ଷରେ ସ୍କୁଲ ଓ ଅଙ୍ଗନବାଡି ପୋଷାକ ବଣ୍ଟନରେ ବ୍ୟାପକ ଅନିୟମିତାର ଅଭିଯୋଗ ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ଅଙ୍ଗନବାଡିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ପିଲାଙ୍କୁ ବାର୍ଷିକ ୨ ହଳ ପୋଷାକ ମିଳିବା କଥା। ଏଥିପାଇଁ ପ୍ରି-ସ୍କୁଲ ଛାତ୍ରଙ୍କୁ ୩୫୦ଟଙ୍କା,ଛାତ୍ରୀଙ୍କୁ ୪୫୦, ପ୍ରଥମରୁ ଅଷ୍ଟମକୁ ୫୦୦ ଏବଂ ନବମ-ଦଶମକୁ ୫୫୦ ଟଙ୍କା ପ୍ରଦାନ କରାଯାଉଛି। ଏହି ପୋଷାକ ଉତ୍କୃଷ୍ଟ ମାନର ହେବ ଏବଂ ଏମଏସଏମଇ ଓ ଯୋଗ୍ୟତା ପ୍ରାପ୍ତ ଏସଏଚଜି ନିଜେ ତିଆରି କରି ଯୋଗାଇବେ ବୋଲି ନିର୍ଦେଶ ରହିଛି। କିନ୍ତୁ ଅଭିଯୋଗ ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ଦୋକାନୀ କୋଲକାତାରୁ ଶସ୍ତା ଓ ନିମ୍ନ ମାନର ପୋଷାକ ଆଣୁଛନ୍ତି। ସେମାନେ ପ୍ରି-ସ୍କୁଲ ପୋଷାକ ୨ ହଳକୁ ଛାତ୍ର ପିଛା ୧୦୦ ଟଙ୍କା ଓ ଛାତ୍ରୀ ପିଛା ୧୩୦ ଟଙ୍କାରେ ଏବଂ ପ୍ରଥମରୁ ଅଷ୍ଟମକୁ ୨୫୦ ଓ ନବମ-ଦଶମକୁ ୩୫୦ ଟଙ୍କାରେ ଯୋଗାଉଛନ୍ତି। ଯାହା ପିନ୍ଧିବା ଯୋଗ୍ୟ ନୁହେଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ କିଛି ରାଜନେତା ଓ କୁଜି ନେତାଙ୍କ ସହଯୋଗରେ କିଛି ଲୁଗା ଦୋକାନୀ ଏମଏସଏମଇ କାଗଜପତ୍ର ଦେଖାଇ କମିଟିରୁ କାର୍ଯ୍ୟାଦେଶ ହାତେଇ ନେଉଛନ୍ତି। ସେହିପରି କିଛି ଡ୍ରେସ୍ ଦୋକାନୀ ଏସଏଚଜି ନାଁରେ ଟେଣ୍ଡର ହାତେଇ ପୋଷାକ ଯୋଗାଣ କରୁଛନ୍ତି। ଅର୍ଥାତ କାଗଜରେ ଏସଏଚଜି, ବାସ୍ତବରେ ଦୋକାନୀ।
ଏଥିରେ କମିଟିରେ ଥିବା ଜଣେ ଅଧିକାରୀ ମଧ୍ୟସ୍ଥି ସାଜୁଥିବା ଅଭିଯୋଗ ହୋଇଛି। ଏସଏଚଜି ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏହି ଦାୟିତ୍ୱ ଦେଇଥିଲେ, କିନ୍ତୁ ସେମାନେ ନିଜେ ପୋଷାକ ତିଆରି ନକରି ବାହାରୁ ଶସ୍ତା ପୋଷାକ କିଣି ଆଣି ବିଦ୍ୟାଳୟକୁ ଦେଉଛନ୍ତି। ଗୁଣବତ୍ତା ଖରାପ ଥିବାରୁ ଅନେକ ଅଭିଭାବକ ବାଧ୍ୟ ହୋଇ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ନୂଆ ୟୁନିଫର୍ମ କିଣୁଛନ୍ତି। ସରକାର ଯେଉଁ ଉଦ୍ଦେଶ୍ୟରେ ମାଗଣା ପୋଷାକ ଦେଉଛନ୍ତି ସେଇଟା ଏବେ ଅଭିଭାବକଙ୍କ ଉପରେ ଅତିରିକ୍ତ ବୋଝ ପାଲଟିଛି। ଏହି ଘୋଟଲାର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ ପାଇଁ ସ୍ଥାନୀୟ ଅଭିଭାବକମାନେ ରାଜ୍ୟ କିମ୍ବା ଜିଲ୍ଲାସ୍ତରରୁ ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠନ କରିବାକୁ ଦାବୀ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ତଦନ୍ତ ହେଲେ ପୋଷାକ ଅର୍ଥ କିପରି ବାଟମାରଣା ହେଉଛି ଏବଂ କେତେ କୁଜି ନେତା କେତେ ଟଙ୍କା ନେଉଛନ୍ତି ସ୍ପଷ୍ଟ ହୋଇଯିବ।
ପୋଷାକ ଯୋଗାଣରୁ ନିଜ ପକେଟ ମୁଣି ଭରୁଥିବା ଅଧିକାରୀଙ୍କ ସହିତ କିଛି ସ୍କୁଲ କର୍ତୃପକ୍ଷ ମଧ୍ୟ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି। ତେଣୁ ସମ୍ପୂର୍ଣ୍ଣ କମିଟିର ଯାଞ୍ଚ ହେଉ ଏବଂ ନିୟମ ଅନୁଯାୟୀ ପୋଷାକ ବଣ୍ଟନ ହେଉ ବୋଲି ସେମାନେ ଦାବୀ କରିଛନ୍ତି। ପିଲାଙ୍କ ଶିକ୍ଷା ପାଇଁ ଆସୁଥିବା ଟଙ୍କାକୁ ଯେଉଁମାନେ ଭାଗବଣ୍ଟା କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ନଚେତ “ମାଗଣା ୟୁନିଫର୍ମ” କେବଳ କାଗଜରେ ରହିଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ