ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ପାଠାଚକ୍ର
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୦୭/୮/୨୬ ତାରିଖ ଦିନ ନୂତନ ପ୍ରିନ୍ସିପାଲ ଭଗବାନ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଓ ପାଠଚକ୍ର ଆନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ। ବିଭାଗ ପକ୍ଷରୁ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରବା ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ନୂତନ ପ୍ରିନ୍ସିପାଲଙ୍କୁ ସ୍ଵାଗତ କରିବା ସହ ପାଠଚକ୍ରର ବିଷୟ ବସ୍ତୁ “ଓଡ଼ିଶା ପଞ୍ଚାୟତ ରାଜ ନିର୍ବାଚନରେ ମହିଳାଙ୍କ ଅଂଶଗ୍ରହଣ: ଏକବିଂଶ ଶତାବ୍ଦୀରେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆହ୍ୱାନ” ଉପସ୍ଥାପନ କରି ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ରୀ ବର୍ଷା ସ୍ୱାଇଁ ଓ ଗୀତାଞ୍ଜଳୀ ପ୍ରଧାନ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏହାପରେ ପାଠଚକ୍ରର ବିଷୟ ବସ୍ତୁ ଉପରେ ମୁକ୍ତ ଆଲୋଚନା କରାଯାଇଥିଲା। ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା ବର୍ତ୍ତମାନର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଦିଗରେ ଉପୁଜୁଥିବା ଆହ୍ୱାନ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


