ଛାତ୍ରଛାତ୍ରୀଙ୍କୁ ଘାସ ଓ ଲେଟିନ ସଫା କାର୍ଯ୍ୟରେ ନିୟୋଜିତ କରାଯାଉଛି : ପ୍ରଧାନଶିକ୍ଷୟତ୍ରୀଙ୍କ ବଦଳି ଦାବୀ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦର ଜି. ଏନ. ପାଲମ୍ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ ଚାଲିଛି ପାଠ ପଢା l ଛାତ୍ର ଛାତ୍ରୀ ମାନଙ୍କୁ ଘାସ ସହିତ ଲେଟିନ ଟାଙ୍କି ସଫା କରିବାକୁ କହି ପ୍ରଧାନ ଶିକ୍ଷୟତ୍ରୀ ଏବେ ବିବାଦ ଘେରରେ l ଏନେଇ ଶୁକ୍ରବାର ଅଭିଭାବକ ମାନେ ଏକତ୍ରିତ ହୋଇ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଘେରିଛନ୍ତି l ବିଦ୍ୟାଳୟରେ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରି ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ଛାତ୍ର ଛାତ୍ରୀ ମାନେ ଜଣାଇଛନ୍ତି l ଏହା ସହିତ ବିଦ୍ୟାଳୟ ପରିସର ରେ ଥିବା ଘାସ ସହିତ ଲେଟିନ ସଫା କରିବାକୁ କୁହାଯାଉଥିବା ନେଇ ଅଭିଯୋଗ ହୋଇଛି l ଘଟଣାର ଖବର ପାଇ ଛତ୍ରପୁର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସଂଯୁକ୍ତା ରଥ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝା ସୁଝା କରିଥିଲେ l ଏପରିକି, ବିଦ୍ୟାଳୟ ପରିଚାଳନା ପାଇଁ ଆସିଥିବା ଟଙ୍କା କୁ ଖର୍ଚ୍ଚ କରାଯାଉନଥିବା ନୂତନ ପରିଚାଳନା କମିଟି ର ସଭାପତି ଏବଂ ଅନ୍ୟ ମାନେ ଅଭିଯୋଗ କରିଛନ୍ତି l ଦୀର୍ଘ ଦିନ ଧରି ସ୍କୁଲ ପରିସର ଲଟା ବୁଦା ରେ ଭର୍ତ୍ତି ହୋଇ ରହିଥିବା ବେଳେ ଏହା ଖୁବ ଶୀଘ୍ର ସଫେଇ କରିବା ପାଇଁ ସେମାନେ ଦାବି କରିଛନ୍ତି l ଏହା ସହ ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି କରିବା ପାଇଁ ସେମାନେ ଦାବି କରିଛନ୍ତି l ସେମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଦ୍ୟାଳୟ ଗେଟ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି l ଅନ୍ୟପଟେ ସମସ୍ତ ଅଭିଯୋଗ କୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ l


