ବିଜେପିରୁ ପୁଣି ବିଜେଡିକୁ ଫେରିଲେ ବିରଞ୍ଚିପୁର ସରପଞ୍ଚ

ବୁଗୁଡ଼ା (ଅନୀଲ କୁମାର ମହାରଣା)  : ବୁଗୁଡ଼ା ବ୍ଲକର ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀଙ୍କ ଘର ବାହୁଡ଼ା ହୋଇଥିବା ଜଣାପଡିଛି। ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ବି ବ୍ରହ୍ମପୁର ଗ୍ରାମର କଦମ୍ବ ମଠ ଠାରେ ଶନିବାର ଦିନ ବିଜେଡି ପକ୍ଷରୁ ଏକ ମିଶ୍ରଣ କାର୍ଯ୍ୟକ୍ରମ ବୁଗୁଡ଼ା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି କବିରାଜ ଗୌଡଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେଡିରୁ ସରପଞ୍ଚ ଭାବେ ବିଜୟ ଲାଭ କରିଥିଲେ ମଧ୍ୟ ନିଜ ପଞ୍ଚାୟତର ବିକାଶ ପାଇଁ ବିଜେପିରେ ଯୋଗଦେଇଥିବା ସରପଞ୍ଚ ମନ୍ଦାକିନୀ ସେଠୀ ଓ ତାଙ୍କ ସ୍ବାମୀ ସନ୍ତୋଷ କୁମାର ସେଠୀ । ପଞ୍ଚାୟତର ଉନ୍ନତି ପାଇଁ ଯେଉଁ ଆଶା ଓ ଆକାଂକ୍ଷା ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ବାର୍ତ୍ତାରେ ଅନୁପ୍ରାଣୀତ ହୋଇ ବିଜେପିକୁ ଯାଇଥିଲେ, ସେହି ଆଶା ଓ ଆକାଂକ୍ଷା ଏବଂ ନୀତି ଆଦର୍ଶ ସମ୍ପୂର୍ଣ୍ଣ ଭାବେ ମଳିନ ପଡ଼ିଯାଇଥିଲା। ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ସରପଞ୍ଚ ମନ୍ଦାକିନୀ ସେଠୀ ଓ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ସେଠୀଙ୍କ ସହ ତାଙ୍କ ସମର୍ଥକମାନଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ନିଜ ବକ୍ତବ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ ଯେ, “ବିରଞ୍ଚିପୁର ପଞ୍ଚାୟତରେ ଏକ ସରକାରୀ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଞ୍ଚରେ ରହି ଭତ୍ତା ବଣ୍ଟନ କରିଥିବା ବେଳେ ବିରଞ୍ଚିପୁରର ମହିଳା ସରପଞ୍ଚଙ୍କୁ ମଞ୍ଚ ଉପରକୁ ଡକାଯାଇନଥିଲା। ନିଜ ପଞ୍ଚାୟତର କାର୍ଯ୍ୟକ୍ରମରେ ସରପଞ୍ଚ ମନ୍ଦାକିନୀ ସେଠୀ ତଳେ ବସିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସରପଞ୍ଚମାନଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ବୋଲି ପ୍ରକାଶ କରିଥିଲେ। ମହିଳାମାନଙ୍କୁ ସମ୍ମାନ ଜଣାଇଥିଲେ। ଅଥଚ ବିଜେପି ମନ୍ତ୍ରୀ ଶ୍ରୀ ମଲ୍ଲିକ ଜଣେ ମହିଳା ସରପଞ୍ଚଙ୍କୁ ମଞ୍ଚ ଉପରକୁ ନଡାକି ତଳେ ବସାଇ, କେବଳ ବିରଞ୍ଚିପୁରର ମହିଳା ସରପଞ୍ଚଙ୍କୁ ଅସମ୍ମାନ କରିନାହାନ୍ତି, ବରଂ ସମସ୍ତ ମହିଳା ସମାଜକୁ ଅପମାନିତ କରିଛନ୍ତି।” ଅନେକ ବିଜେପି କର୍ମୀ ଆମ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ମଧ୍ୟ ବିଜେଡିରେ ଖୁବ୍ ଶୀଘ୍ର ମିଶିବା ସମ୍ଭାବନା ଥିବା ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନୀଳମାଧବ ଆଚାରୀ, ବିଜେଡି ବ୍ଳକ ସଭାପତି ଖଦାଳ ଖଟାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ମେମ୍ବରଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, କେ ତ୍ରିଲୋଚନ ଦୋରା, ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ