ବ୍ଲକ ଅଧ୍ୟକ୍ଷାଙ୍କ ସମେତ ୫ଟି ପଂଚାୟତର ଜନପ୍ରତିନିଧିଙ୍କ ପଦ ହରାଇଥିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା
ଛତ୍ରପୁର,(ଓ୍ବାଇଏନଏସ): ନବଗଠିତ ପୌରାଚଂଳରେ ସାମିଲ ହୋଇଥିବା ପଂଚାୟତ ଜନପ୍ରତିନିଧିଙ୍କ ପଦ ହରାଇଥିବା ନେଇ ଗତ ଜୁଲାଇ ୧୫ ତାରିଖରେ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ସୂର୍ଯ୍ୟନାରାୟଣ ଦାଶ ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ସଂଖ୍ୟା ୧୯୯୬୯ ଜଣାଇଥିଲେ । ଏହି ପର୍ଯ୍ୟାୟରେ ଛତ୍ରପୁର ନଗଗଠିତ ପୌରପରିଷଦରେ ଚିକଲଖଣ୍ଡି, ଅଗସ୍ତିନୂଆଗାଁ, ପୋଡାପଦର, ଆର୍ଯ୍ୟପଲ୍ଲୀ ଓ କଣମଣା ପଂଚାୟତ ସାମିଲ ହୋଇଛି । ଏହି ପରିପ୍ରେକ୍ଷୀରେ ଉପରୋକ୍ତ ୫ଟି ପଂଚାୟତର ନିର୍ବାଚିତ ଜନପ୍ରତିନିଧି ସେମାନଙ୍କ ପଦ ହରାଇଥିବା ଜଣାପଡିଛି । ଅଗସ୍ତିନୂଆଗାଁ ପଂଚାୟତରୁ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିବା କିରଣ କୁମାରୀ ଦାସ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ଏଣୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଏହି ୫ଟି ପଂଚାୟତର ସମସ୍ତ ସରପଂଚ, ସମିତିସଭ୍ୟ/ସଭ୍ୟା ଏବଂ ୱାର୍ଡସଭ୍ୟ / ସଭ୍ୟା ମାନଙ୍କ ପଦ ହରାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି । ଏଣୁ ଆଜି ଅର୍ଥାତ୍ ୬୦୩୮ ପତ୍ର ସଂଖ୍ୟାରେ ଏହାକୁ ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ସମେତ ୫ଟି ପଂଚାୟତର ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପଦ ହରାଇଥିବା ନେଇ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।


