ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ଏବଂ ଜିଲ୍ଲାପାଳ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ଲାଗି ରହିଛି।ବନ୍ୟା ଯୋଗୁଁ ଲକ୍ଷାଧିକ ଲୋକଙ୍କ ସମେତ ପଶୁସମ୍ପଦ ମଧ୍ୟ ପ୍ରଭାବିତ ହୋଇଛନ୍ତି।ଏଭଳି ସ୍ଥିତିରେ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ରବିବାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ସୂରଜ ଆଜି ଅସୁରାଳି, କୋଠାର, ଧୂଷୁରୀ,ହସନାବାଦ ପ୍ରଭୃତି ଅଞ୍ଚଳକୁ ଯାଇଥିଲେ।ପଙ୍ଗଟା ଠାରେ କୋଚିଳା ନଦୀର ଜଳସ୍ତର ନିରୀକ୍ଷଣ କରିବା ସହ ଅସ୍ତକ ଠାରେ ବୈତରଣୀ ନଦୀର ବନ୍ୟା ବିପନ୍ନ ଲୋକଙ୍କ ସହ ଆଲୋଚନା କରିଥିଲେ। ରନ୍ଧାଖାଦ୍ୟ ପ୍ରସ୍ତୁତି ଦେଖିବା ପରେ ହରିହଂସ ଠାରେ ଉନ୍ନତ ଜ୍ଞାନ କୌଶଳରେ ପ୍ରସ୍ତୁତ ପାନୀୟ ଜଳ କିପରି ପ୍ରଭାବିତ ଅଞ୍ଚଳକୁ ଯିବ ସେ ସମ୍ପର୍କରେ ବୁଝିଥିଲେ।ଦୁଇ ସପ୍ତାହ ମଧ୍ୟରେ ଦୁଇଟି ବନ୍ୟା ଯୋଗୁଁ ଧାମନଗର ଅଞ୍ଚଳରେ ଦେଖା ଦେଇଥିବା ବନ୍ୟା ବିଷୟରେ ମତଦେଇ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ବୈତରଣୀ ଅବବହିକାର ମୟୁରଭଞ୍ଜ କେନ୍ଦୁଝରରେ ଭାରି ବର୍ଷା ଧାମନଗର ଭଣ୍ଡାରିପୋଖରୀ ତିହିଡି ଚାନ୍ଦବାଲିରେ ବନ୍ୟା ସୃଷ୍ଟି କରିଛି।ବନ୍ୟା ବିପନ୍ନଙ୍କ ନିକଟରେ ପହଁଚିବା ଏବଂ ସେମାନଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।ବିପନ୍ନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସରକାର ସଚେତନ ରହିଛନ୍ତି।ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ନିମନ୍ତେ ଓଡ୍ରାଫ ଏନଡ଼ିଆରଏଫ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି।ଦ୍ଵିତୀୟ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୬୦ ମେଟ୍ରିକ ଟନ ଗୋଖାଦ୍ୟ ଉପଲବ୍ଧ କରାଇବା ସଙ୍ଗେ ସଙ୍ଗେ ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ସଜାଗ ଦୃଷ୍ଟି ରଖାଯାଇଛି।ଏନେଇ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ନାହାଲିଙ୍ଗଙ୍କ ସହିତ ଆଲୋଚନା କରିଥିଲେ।ସେହିପରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଦୋବଲ ବନ୍ୟାଞ୍ଚଳ ବୁଲି ଦେଖିଥିଲେ।ମନ୍ତ୍ରୀଙ୍କ ପରିଦର୍ଶନ ବେଳେ ଚତୃଭୂଜ ନାୟକ,ବୁଦ୍ଧଦେବ ଜେନା,ବୈକୁଣ୍ଠ ନାଥ ସାହୁ,ରାଜେନ୍ଦ୍ର ସାହୁ,ଶ୍ରୀକାନ୍ତ ନାୟକ,ଆଶୀଷ ଜେନା,ଅନ୍ତର୍ଯ୍ୟାମୀ ପତି,ସରୋଜ ସ୍ୱାଇଁ,ଧରଣୀଧର ବସନ୍ତିଆ,ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


