ପନ୍ଦର ଦିନ ହେଲା ପାଣି ଘେରରେ ଚଢେଇଭୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଲଗାଣ ବର୍ଷା ପରିଣାମରେ ପିଛଲା ପନ୍ଦର ଦିନ ଧରି ଚଢେଇଭୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଣି ଘେରରେ ରହିଛି। ବିଦ୍ୟାଳୟ ପରିସରରେ ୩ ଫୁଟରୁ ଅଧିକ ପାଣି ଜମା ହୋଇଥିବାରୁ ଶିକ୍ଷାଦାନ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଶତାଧିକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀକକ୍ଷ ଓ ବାରଣ୍ଡାରେ ବସାଇ ପାଠପଢ଼ା ଚାଲିଛି। ବିଦ୍ୟାଳୟରେ ଅଙ୍ଗନୱାଡିର ୨୦ ଜଣ ସହିତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ। ଜଳବନ୍ଦୀ ପରିସ୍ଥିତି କାରଣରୁ କିଛି ଅଭିଭାବକ ନିଜ ସନ୍ତାନମାନଙ୍କୁ ବିଦ୍ୟାଳୟକୁ ପଠାଇବାରୁ ବିରତ ହୋଇଛନ୍ତି। ଏହାସହ ପାଣି ଶ୍ରେଣୀକକ୍ଷ ଓ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିବାରୁ ମଧ୍ୟାହ୍ନ ଭୋଜନ ପାଇଁ ସଂରକ୍ଷିତ ଚାଉଳ ଭିଜି ନଷ୍ଟ ହେବା ସ୍ଥିତିରେ ପହଞ୍ଚିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଇମଦାଦ ହୁସେନଙ୍କ କହିବା ଅନୁସାରେ, ୨୦୨୩ ମସିହାରେ ଚଢେଇଭୋଳ–ଖିଚିଂ ରାସ୍ତା ପୁନଃନିର୍ମାଣ ପରେ ରାସ୍ତାର ଉଚ୍ଚତା ବୃଦ୍ଧି ପାଇଥିବାବେଳେ ବିଦ୍ୟାଳୟ ପରିସର ତୁଳନାମୂଳକ ଭାବେ ନିମ୍ନସ୍ଥିତିରେ ରହିଛି। ଫଳସ୍ୱରୂପ ବର୍ଷାଜଳ ନିଷ୍କାସନରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଏନେଇ କରଞ୍ଜିଆ ଓ ରାଇରଙ୍ଗପୁର ପୂର୍ତ୍ତ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟକୁ ଡ୍ରେନ ନିର୍ମାଣ ପାଇଁ ଆବେଦନ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ।ପାଣି ନିଷ୍କାସନ ପାଇଁ ପ୍ରଧାନଶିକ୍ଷକ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜେସିବି ମେସିନ ଦ୍ୱାରା ଅସ୍ଥାୟୀ ଡ୍ରେନ ନିର୍ମାଣ କରିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହୋଇନାହିଁ। ଚଳିତ ବର୍ଷ ସ୍ୱାଧୀନତା ଦିବସ ସମୟରେ ମଧ୍ୟ ବିଦ୍ୟାଳୟ ପରିସରରେ ପାଣି ଜମା ହୋଇଥିବା ବେଳେ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ବାରମ୍ବାର ବିଡିଓ ଓ ବିଇଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଯଥୋଚିତ ପଦକ୍ଷେପ ଗ୍ରହଣ ହୋଇନଥିବାରୁ ଆବିର୍ଭାବକମାନେ ପ୍ରକାଶ କରିଛନ୍ତି। ଏପରିକି ମଧ୍ୟାହ୍ନ ଭୋଜନ ଚାଲୁ ରଖିବା ପାଇଁ ସେ ନିଜ ଉଦ୍ୟମରେ ଘରୁ ଚାଉଳ ଆଣି ରୋଷେଇ କରାଯାଉଥିବା ଜଣାପଡ଼ିଛି।


