ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜମି ହଡ଼ପ ଅଭିଯୋଗ, ପାଠ୍ୟଦାନ ଚାଲିଛି ଭୋଜନାଳୟରେ
ଗୁଣପୁର (ୱାଇଏନଏସ) : ଗୁଣପୁର ବ୍ଲକ ଅନ୍ତର୍ଗତ ଗାଦିଆଖଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜମି ଜବରଦଖଲ କରି ବେଆଇନ କୋଠା ନିର୍ମାଣ କରାଯାଇଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଭ୍ୟ ଏବଂ ଅଭିଭାବକ ମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ବିଦ୍ୟାଳୟ କମିଟିର ସଭ୍ୟ ମାନେ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କୁ ଭେଟି ବିଦ୍ୟାଳୟର ଜମି ଜବରଦଖଲ ସମ୍ପର୍କରେ ଅଵଗତ କରାଇ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଗାଦିଆଖୋଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୧୯୪୪ ମସିହାରେ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ୬୪ ଜଣ ପିଲା ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଠ୍ୟଦାନ ନିମନ୍ତେ ସରକାର ୬ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରିଛନ୍ତି। ସେହି ବିଦ୍ୟାଳୟରେ ଶିଶୁ ବାଟିକା ସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିବା ବେଳେ କେବଳ ୪ ଟି ଶ୍ରେଣୀ କକ୍ଷ ରହିଛି। ସୂଚନାଯୋଗ୍ୟ ବିଦ୍ୟାଳୟର ନିଜସ୍ଵ ଜମି ପଟ୍ଟା ଅଛି । ଖାତା ନଂ. ୯୯, ପ୍ଲଟ ନଂ.୧୫୨ ମୋଟ ରକବା – ଏକର ୦.୪୨୦ । କିନ୍ତୁ ବର୍ତ୍ତମାନ ସେହି ଅନୁସାରେ ବିଦ୍ୟାଳୟର ଜାଗା ନଥିବା ଅଭିଯୋଗ କରାଯାଇଛି । ରାଜସ୍ବ ନିରୀକ୍ଷକ ଙ୍କ ସୀମା ନିର୍ଦ୍ଧାରଣ ସମୟରେ ବିଦ୍ୟାଳୟର ପାର୍ଶ୍ବରେ ଥିବା ଜମି ମାଲିକ ଅଭିରାମ ଦୋରା ବିଦ୍ୟାଳୟ ଜମିରେ ପୋଖରୀ ଖୋଳିଦେଇଛନ୍ତି। ଯାହା ଫଳରେ ବର୍ତ୍ତମାନ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥିବା ସମ୍ପର୍କରେ ବିଦ୍ୟାଳୟ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟ ପଟେ ନିକଟରେ ଥିବା ଅନୁଦାନ ପ୍ରାପ୍ତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ କୌଣସି ପ୍ରକାରେ ସୀମା ନିର୍ଦ୍ଧାରଣ ନକରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୫ ,ଫୁଟ ଲମ୍ବା ଏବଂ ୩୫ ଫୁଟ ଓସାର ପରିମାଣ ଜମି ଦଖଲ କରି କୋଠରୀ ନିର୍ମାଣ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଏଥିପାଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ମାନେ ଖେଳିବା ନିମନ୍ତେ ଖେଳ ପଡ଼ିଆ କିମ୍ବା ଶ୍ରେଣୀକକ୍ଷ ନିର୍ମାଣ ନିମନ୍ତେ ଜମି ନଥିବା କୁହାଯାଇଛି। ଏହିଭଳି ପରିସ୍ଥିତିରେ ପିଲାଙ୍କୁ ଭୋଜନାଳୟରେ ବସାଇ ଶିକ୍ଷାଦାନ ଦେବାକୁ ପଡ଼ୁଥିବା ବେଳେ
ତୃତୀୟ, ଚୁତୁର୍ଥ ଏବଂ ସପ୍ତମ ଶ୍ରେଣୀ ପିଲାଙ୍କୁ ଗୋଟିଏ କୋଠରୀରେ ବସାଇ ପାଠ୍ୟଦାନ ଦିଆଯାଉଛି।ଶିଶୁବାଟିକା, ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ଆଉ ଗୋଟିଏ କୋଠରୀରେ ବସାଇବାକୁ ପଡୁଛି । ଏହି ସମସ୍ୟାର ସମାଧାନ ନିମନ୍ତେ ସ୍କୁଲ କମିଟିର ସଭାପତି ପ୍ରକାଶ ନାୟକ ଏବଂ ୱାର୍ଡ ସଭ୍ୟ ସଚିତାନନ୍ଦ ସାହୁ ଉପଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କମିଟି ସଭ୍ୟଙ୍କୁ ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଆଶ୍ବସନା ଦେଇଥିବା ଜଣାପଡିଛି।


