ସଭା ସମିତି ଓ ଶୋଭାଯାତ୍ରା ପାଇଁ ଲାଗୁ ହେଲା ଧାରା-୩୦

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ଏବଂ ରାଜନୈତିକ ଦଳଗୁଡ଼ିକର ସଭା, ସମାବେଶ ଓ ଶୋଭାଯାତ୍ରା ଯୋଗୁଁ ସମ୍ଭାବ୍ୟ ଅଶାନ୍ତିକୁ ଏଡ଼ାଇବା ପାଇଁ ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ପୋଲିସ ଆଇନ-୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ଗଞ୍ଜାମ ଏସ୍‌ପି ହରିଶ ବି.ସି.ଙ୍କ ଜାରି କରିଥିବା ଆଦେଶ ଅନୁଯାୟୀ ଏହି ନିର୍ଦ୍ଦେଶ ୧୬ ଅଗଷ୍ଟ ୨୦୨୬ ଠାରୁ ୧୩ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ, ମୋଟ ୯୦ ଦିନ ବଳବତ୍ତର ରହିବ। ଆଦେଶ ଅନୁସାରେ ଗଞ୍ଜାମ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ କୌଣସି ସଭା, ସମାବେଶ, ଶୋଭାଯାତ୍ରା କିମ୍ବା ଜନସମାଗମ ଆୟୋଜନ କରିବା ପୂର୍ବରୁ ସମ୍ପୃକ୍ତ ଏସ୍‌ଡିପିଓ କିମ୍ବା ଥାନା ଅଧିକାରୀଙ୍କ ନିକଟରୁ ଲାଇସେନ୍ସ/ଅନୁମତି ନେବା ବାଧ୍ୟତାମୂଳକ ହେବ। ଆବେଦନପତ୍ରରେ ସଭା କିମ୍ବା ସମାବେଶର ସ୍ଥାନ, ସମୟ, ଉଦ୍ଦେଶ୍ୟ ଏବଂ ବକ୍ତାଙ୍କ ନାମ ଉଲ୍ଲେଖ କରିବାକୁ ପଡ଼ିବ। ଶୋଭାଯାତ୍ରା କ୍ଷେତ୍ରରେ ରୁଟ୍‌, ବିରତି ସ୍ଥାନ, ଅଂଶଗ୍ରହଣକାରୀଙ୍କ ସଂଖ୍ୟା, ବାଦ୍ୟଯନ୍ତ୍ର ବ୍ୟବହାର, ଯାନବାହନ ଏବଂ ଅନ୍ୟାନ୍ୟ ବିବରଣୀ ଦେବା ଆବଶ୍ୟକ। ଯଦି ଆତସବାଜି ପ୍ରଦର୍ଶନ କରାଯିବ, ତେବେ ତାହାର ପ୍ରକାର, ସମୟ ଓ ସ୍ଥାନ ମଧ୍ୟ ଆବେଦନରେ ଉଲ୍ଲେଖ କରିବାକୁ ହେବ। ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେକୌଣସି ସଭା କିମ୍ବା ଶୋଭାଯାତ୍ରା ପାଇଁ ଆବେଦନ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଅତି କମରେ ୭୨ ଘଣ୍ଟା ପୂର୍ବରୁ ଦାଖଲ କରିବା ଆବଶ୍ୟକ। ଏହି ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲ୍ଲା ପୁଲିସ ପକ୍ଷରୁ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସାଧାରଣ ଜନତାଙ୍କୁ ଆଇନଶୃଙ୍ଖଳା ବଜାୟ ରଖିବା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ