ଜାତୀୟ ଐତିହ୍ୟ କୁଇଜ୍ ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା) : ଇନ୍ଟାକ୍, ବାଲେଶ୍ୱର ଶାଖା ଆନୁକୂଲ୍ୟରେ ଆଜି ସିଦ୍ଧି ବିନାୟକ ପବ୍ଲିକ୍ ସ୍କୁଲ୍ଠାରେ ଜାତୀୟ ଐତିହ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ୧୦ଟି ବିଦ୍ୟାଳୟରୁ ମୋଟ ୪୧ଟି ଟିମ୍ ଭାଗ ନେଇଥିଲେ। ପ୍ରଥମେ ସମସ୍ତ ଅଂଶଗ୍ରହଣକାରୀ ଦଳ ମଧ୍ୟରେ ଏକ ଲିଖିତ ପରୀକ୍ଷା କରାଯାଇଥିଲା। ଲିଖିତ ପରୀକ୍ଷାର ପ୍ରଦର୍ଶନ ଓ ନମ୍ବର ଆଧାରରେ ଶ୍ରେଷ୍ଠ ୪ଟି ଟିମ୍କୁ ମୌଖିକ (ଅରାଲ୍) ରାଉଣ୍ଡ୍ ପାଇଁ ମନୋନୀତ କରାଯାଇଥିଲା। କୁଇଜ୍ ମାଷ୍ଟର ଭି. ଉଦୟ କୁମାର ମୌଖିକ ରାଉଣ୍ଡ ପରିଚାଳନା କରିଥିଲେ। ମୌଖିକ ରାଉଣ୍ଡରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ୍ର ଜ୍ୟୋତିଶ୍ରୀ ଜେନା ଏବଂ ଗୋପାଳକୃଷ୍ଣ ବେହେରା ଯୋଡ଼ି ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ରାଉଣ୍ଡରେ ଯୋଗଦେବା ପାଇଁ ଯୋଗ୍ୟତା ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇନ୍ଟାକ୍ ବାଲେଶ୍ୱର ଶାଖାର ଆବାହକ ଉଦୟ ରଂଜନ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଚାପ୍ଟାରର ଅତିରିକ୍ତ ସହ ଆବାହିକା ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଡା. ଦେବାଶିଷ ମିଶ୍ର, ଭାବଗ୍ରାହୀ ମହାନ୍ତି, ଗୌରୀଶଙ୍କର ନାୟକ, ଅଖିଳ କୁମାର ଦାସ, ଦେବେନ୍ଦ୍ର କୁମାର ଧଳ ଓ ଅନ୍ୟାନ୍ୟ ଇନ୍ଟାକ୍ ସଭ୍ୟବୃନ୍ଦ ଏବଂ ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ୍ର ଶିକ୍ଷକ, ଶିକ୍ଷୟିତ୍ରୀ ସୁଚାରୁ ରୂପେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।


