ଚୋରା ବିଦ୍ୟୁତ ତାର, ବ୍ୟାଟେରୀ ଜବତ: ଦୁଇ ଗିରଫ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଞ୍ଚଳରେ ବୈଦ୍ୟୁତିକ ତାର ଏବଂ ବ୍ୟାଟେରୀ ଅବୈଧ ପରିବହନ ବେଳେ ରବିବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ସମସ୍ତ ଚୋରା ସାମଗ୍ରୀ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି l ଗିରଫ ୨ ଅଭିଯୁକ୍ତ ହେଉଛନ୍ତି କଟକ ଜିଲା ନିଆଳୀ ଥାନା ତଲକା ଗ୍ରାମର ତଥା ଭୁବନେଶ୍ୱର କଳ୍ପନା ଛକ ନିକଟରେ ରହୁଥିବା ଗାଡି ଚାଳକ ମଙ୍ଗରାଜ ପଣ୍ଡା (୨୯) ଏବଂ ଅନ୍ୟ ଜଣେ ଧାମନଗର ଥାନା ସୋମପୁର ଗ୍ରାମର ସଲମାନ ଖାନ(୨୬) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି l ପ୍ରକାଶ ଯେ, ରବିବାର ପୋଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ନିଳୋକ-ଛତାବର ରାସ୍ତାର ପଳାସଗଢିଆ ଓଡିଶା ଆଦର୍ଶ ବିଦ୍ୟାଳୟ ଛକ ନିକଟରେ ଏକ ପିକଅପ୍ ଭ୍ୟାନକୁ ପୋଲିସ ସନ୍ଦେହଜନକ ଭାବେ ଅଟକାଇଥିଲା। ସେଥିରେ ବିପୁଳ ପରିମାଣର ବିଦ୍ୟୁତ୍ ତାର ଏବଂ ବ୍ୟାଟେରୀ ଥିବାର ଜଣାପଡ଼ିଥିଲା। ସମ୍ପୃକ୍ତ ଗାଡି ଚାଳକ ଜିନିଷପତ୍ର ରଖିବା ଏବଂ ପରିବହନ ସମ୍ପର୍କରେ କୌଣସି ସନ୍ତୋଷଜନକ କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ। ଯାଞ୍ଚ ପରେ ସମ୍ପୃକ୍ତ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ଟି ଆଲୁମିନିୟମ ବୈଦ୍ୟୁତିକ ତାର ବଣ୍ଡଲ, ୮ଟି ଲିଭ୍ ଗାର୍ଡ ବ୍ୟାଟେରୀ (୧୨ ଭୋଲ୍ଟ), ୧୦ଟି ଏକ୍ସାଇଡ୍ ବ୍ୟାଟେରୀ (୧୨ ଭୋଲ୍ଟ), ୨୫ଟି ଆମରନ୍ ବ୍ୟାଟେରୀ (୧୨ ଭୋଲ୍ଟ), ୨ ଟି ଆମରନ୍ ବ୍ୟାଟେରୀ (୨୪ ଭୋଲ୍ଟ), ୧ଟି ଭିଭୋ ମୋବାଇଲ୍ ଫୋନ୍ ଆଦିକୁ ପୋଲିସ ଜବତ କରିଥିଲା l ଏସବୁ ସାମଗ୍ରୀ ଧାମନଗର ଛକର ଜନୈକ ଦୋକାନୀଙ୍କୁ ବିକ୍ରୟ କରିବାକୁ ଉଦ୍ଦିଷ୍ଟ ଥିଲା ବୋଲି ଅଭିଯୁକ୍ତ ମାନେ ପ୍ରକାଶ କରିଥିଲେ l ଏନେଇ ସୋମବାର ପୋଲିସ ୨୫୩/୨୬ ମୂଳେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି l ଅପରାଧରେ ସମ୍ପୃକ୍ତ ଅନ୍ୟ ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ