ମନ୍ଦିରରୁ ଚୋରି ରୂପା ଓ ପିତ୍ତଳ ବାସନ ଜବତ: ଚୋର ଓ ବେପାରୀ ଗିରଫ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଦେବତାଙ୍କୁ ବି ଛାଡିଲେନି ଚୋର ପୁରୀ ଜିଲ୍ଲା କାକଟପୁର ଥାନା ଶ୍ରୀରାମପୁର ରାଧାକୃଷ୍ଣ ମନ୍ଦିରରେ ଭଗବାନଙ୍କ ରୂପା ମୁକୁଟ ଚୋରୀ କରି କଟା ଛିଡା କରି ବିକି ଦେଉଥିବା ଗ୍ୟାଙ୍ଗକୁ କାକଟପୁର ପୋଲିସ ଧରି ପକାଇଛି। କେସ ନଂ ୨୯୬/୨୦୨୬ରେ ମୁଖ୍ୟ ଚୋର ସମେତ ଚୋରୀ ମାଲ କିଣୁଥିବା ୨ ରିସିଭର ଗିରଫ। ଘଟଣା ଅଗଷ୍ଟ ୨୦ ମଧ୍ୟରାତ୍ରୀର। ଶ୍ରୀରାମପୁର ଗ୍ରାମର ଅମରେଶ୍ୱର ବେହେରା(୪୨)ଙ୍କ ଅଭିଯୋଗ ଅନୁସାରେ ଦୁର୍ବୃତ୍ତ ରାତି ଅନ୍ଧାରରେ ମନ୍ଦିର ତାଲା ଭାଙ୍ଗି ପଶି ରାଧାକୃଷ୍ଣଙ୍କ ୫୦ ହଜାର ଟଙ୍କା ମୂଲ୍ୟର ରୂପା ମୁକୁଟ ଓ ପୂଜା ପିତ୍ତଳ ସାମଗ୍ରୀ ଲୁଟି ନେଇଥିଲେ। ଭକ୍ତଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ୨୩ ତାରିଖରେ ଥାନାରେ ମାମଲା ପରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା। ତଦନ୍ତରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଚୋର ମୁକୁଟକୁ କାଟି ଖଣ୍ଡ ଖଣ୍ଡ କରି ବିକିବାକୁ ଯୋଜନା କରିଥିଲା। ପୋଲିସ ସୋମବାର ୨୪ ତାରିଖରେ ମୁଖ୍ୟ ଅଭିଯୁକ୍ତ କାକଟପୁର ମହାନ୍ତିସାହିର ପ୍ରଶାନ୍ତ ସାହୁ ଓରଫ କାଳିଆ(୩୦)କୁ ଧରିଲା। ତା ନିଶାଣିରେ ଚୋରୀ ମାଲ କିଣିଥିବା ନିମାପଡା ବିଷ୍ଣୁପୁର ଦେଉଳିସାହିର ବିଜୟ କୁମାର ଦଳାଇ(୪୫) ଓ କୋଣାର୍କ ରାଉଳ ପାଟଣାର ଭରତ କୁମାର ନନ୍ଦୀ(୩୨) ମଧ୍ୟ ଗିରଫ ହେଲେ। ସିଜର ଲିଷ୍ଟ ଦେଖିଲେ ଚୋରର ନୃଶଂସତା ଜଣା ପଡେ। ଭଙ୍ଗା ତାଲା, ୩୧ ଗ୍ରାମ ଓଜନର କଟା ଯାଇଥିବା ରୂପା ମୁକୁଟ ଖଣ୍ଡ, ଆଳିତୀ ଥାଳି, ଘଣ୍ଟି, ଘିଅ ଥାଳି, ପୁଷ୍ପ ଥାଳି, ଜଳ ଲୋଟା, ଚାମଚ ସମେତ ୧୨ଟି ସାମଗ୍ରୀ ଜବତ ହୋଇଛି। ଏହି ସଫଳତା ପରେ ଅଞ୍ଚଳରେ ପୋଲିସକୁ ପ୍ରଶଂସା କରାଯାଉଛି। ଭଗବାନଙ୍କ ମୁକୁଟ ଫେରି ଆସିବାରୁ ଗ୍ରାମବାସୀ ଖୁସି। ତିନି ଅଭିଯୁକ୍ତଙ୍କୁ ସୋମବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ କରୁଛନ୍ତି ଏଏସଆଇ ଜହୁର ଖାନ।ଯାହା ସୂଚନା ଦେଇଛନ୍ତି କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ।


