ଗଣେଶ ପୂଜାର ପର ତିନି ରବିବାର ହେବ ଭସାଣି
କଟକ, (ଓ୍ବାଇଏନଏସ): ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୪ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା । ଗଣେଶ ପୂଜା ପାଇଁ ଆଉ ହାତରେ ମାତ୍ର ତିନି ସପ୍ତାହ । ଏନେଇ ସହରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ତେବେ ସହରରେ ଗଣେଶ ଭସାଣି ଧୂମ୍ଧାମ୍ରେ ପାଳନ ହେବାକୁ ଥିବାରୁ ଏନେଇ ପ୍ରଶାସନ କେଉଁ ତାରିଖ ସ୍ଥିର କରୁଛି ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ତେବେ ପ୍ରାଥମିକ ଭାବେ ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଗଣେଶ ପୂଜାର ପର ତିନି ରବିବାର ଗଣେଶ ପ୍ରତିମା ବିସର୍ଜନ ହେବ ବୋଲି ଆପାତତଃ ସ୍ଥିର ହୋଇଛି । ଏନେଇ ପୁଲିସ ପକ୍ଷରୁ ଖୁବ୍ଶୀଘ୍ର ପ୍ରସ୍ତୁତି ବୈଠକ ମଧ୍ୟ ଆୟୋଜିତ ହେବ । ଚଳିତ ବର୍ଷ ଗଣେଶ ପୂଜା ସେପ୍ଟେମ୍ବର ମାସ ୧୪ ତାରିଖ ସୋମବାର ଅନୁଷ୍ଠିତ ହେବ । ତେବେ ଗଲା କିଛି ବର୍ଷ ହେବ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଣେଶ ପୂଜାର ପର ୩ ରବିବାର ଭସାଣି ଉତ୍ସବ ଆୟୋଜିତ ହେଉଛି । କିଛି ବର୍ଷ ଦ୍ୱିତୀୟା ଘାଣ୍ଟକୁ ନେଇ ଦ୍ୱନ୍ଦ୍ୱ ରହିଲେ ଭସାଣି ଦିନରେ ସାମାନ୍ୟ ପରିବର୍ତ୍ତନ କରାଯାଏ । ବେଳେ ବେଳେ ଘଟଣାଟି କୋର୍ଟଙ୍କ ସମ୍ମୁଖକୁ ମଧ୍ୟ ଯାଇଛି । ତେବେ ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଏ ତାହେଲେ ଚଳିତ ବର୍ଷ ଗଣେଶ ପୂଜା ହେବାର ପ୍ରଥମ ରବିବାର ସେପ୍ଟେମ୍ବର ୨୦ ତାରିଖରେ ପଡ଼ୁଛି । ତେଣୁ ଏହି ଦିନ ପ୍ରଥମ ପାଳି ଭସାଣି ଆୟୋଜିତ ହେବ । ସେହିପରି ପୂଜା ପରର ଦ୍ୱିତୀୟ ରବିବାର ସେପ୍ଟେମ୍ବର ୨୭ ତାରିଖରେ ପଡ଼ୁଛି । ତେଣୁ ଏହି ଦିନ ଦ୍ୱିତୀୟ ପାଳି ଭସାଣି ହେବ । ତେବେ ପରମ୍ପରା ଅନୁସାରେ ଦ୍ୱିତୀୟ ପାଳିରେ ବିସର୍ଜନ ହେଉଥିବା ପ୍ରତିମାଗୁଡ଼ିକ ଅନନ୍ତ ବ୍ରତରେ ପୂଜା ପାଇବା ପରେ ବିସର୍ଜିତ ହୋଇଥାନ୍ତି । ତେଣୁ ଚଳିତ ବର୍ଷ ୨୫ ତାରିଖରେ ଅନନ୍ତବ୍ରତ ପଡ଼ୁଛି । ତେଣୁ ୨୫ରେ ଅନନ୍ତବ୍ରତ ପୂଜା ସାରି କିଛି ପ୍ରତିମା ୨୭ ତାରିଖ ଦ୍ୱିତୀୟ ପାଳିରେ ବିସର୍ଜିତ ହେବ । ତୃତୀୟ ତଥା ଶେଷ ପାଳିରେ ବିସର୍ଜିତ ହେବାକୁ ଥିବା ପ୍ରତିମାଗୁଡ଼ିକ ଦ୍ୱିତୀୟା ଓଷାରେ ପୂଜା ପାଇବା ପରେ ଅର୍ଥାତ୍ ଦ୍ୱିତୀୟା ଘାଣ୍ଟ ଖାଇବା ପରେ ବିସଜିର୍ତ ହୋଇଥାନ୍ତି । ଚଳିତ ବର୍ଷ ଦ୍ୱିତୀୟା ଓଷା ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେଣୁ ଏହି ଦିନ ପରମ୍ପରା ଅନୁସାରେ ଘାଣ୍ଟ ଖାଇସାରିବା ପରେ ପରଦିନ ଅର୍ଥାତ୍ ୪ ତାରିଖ ରବିବାର ତୃତୀୟ ପାଳି ଭସାଣିରେ ବିସର୍ଜିତ ହେବେ ବୋଲି ସୂଚନା ମିଳିଛି । ତେବେ ଏହି ତାରିଖଗୁଡ଼ିକ ଖୁବ୍ଶୀଘ୍ର ପୁଲିସ ପ୍ରଶାସନ ପକ୍ଷରୁ ସହରର ଗଣେଶ ପୂଜା କମିଟି ଓ କ୍ଲବ୍ ଗୁଡ଼ିକ ଅବଗତ କରାଯିବ । ଏନେଇ ଏକ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ କିଛି ଦିନ ମଧ୍ୟରେ ପୁଲିସ ପକ୍ଷରୁ ଆୟୋଜିତ ହେବ । ପୂଜା ଓ ଭସାଣିକୁ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଆବଶ୍ୟକୀୟ ନିୟମାବଳୀଗୁଡ଼ିକ ପୁଲିସ ପକ୍ଷରୁ ଅବଗତ କରାଯିବ । ପ୍ରତୀମାଗୁଡ଼ିକ କିଭଳି ହେବ, ଭସାଣିର ଲମ୍ବ କେତେ ରହିବ, ଏଥିରେ କେଉଁ ପ୍ରକାର ବାଜା ବା ସାଉଣ୍ଡ ବ୍ୟବହାର କରାଯିବ ତାହା ମଧ୍ୟ ଜଣାଇ ଦିଆଯିବ ।


