କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବଢ଼ିଲା ଅଡୁଆ: ଆତ୍ମସମର୍ପଣ ନ କରିବାରୁ, ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ
କଟକ, (ଓ୍ବାଇଏନଏସ): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ପୁଣି ବଢ଼ିଛି ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେବା ସତ୍ତ୍ୱେ ହାଜର ନହେବା ଘଟଣାରେ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଏହାସହ ସୌରିନ୍ ଭଟ୍ଟଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ପରୱାନା ବା ଏନବିଡ଼ବ୍ଲୁ ଉପରେ ପୂର୍ବରୁ ଲାଗୁ ହୋଇଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି । ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି, ସୌରିନ୍ ଭଟ୍ଟ କିଭଳି ନିମ୍ନ ଅଦାଲତରେ ହାଜର ହେବେ, ସେନେଇ ନିମ୍ନ ଅଦାଲତ ଆବଶ୍ୟକ ପଦକ୍ଷେପ ନେବେ । ଫଳରେ ତାଙ୍କ ବିରୋଧରେ ଥିବା ଆଇନଗତ ଅଡୁଆ ଆହୁରି ବଢ଼ିଛି । ଅଭିଯୋଗ ଅନୁସାରେ, ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ଅପରାଧ କରିବା ଏବଂ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରସ୍ତ ନକରିବା ଅଭିଯୋଗରେ କଟକ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ କଟକ ଏସ୍ଡିଜେଏମ୍ କୋର୍ଟ ୨୦୨୩ ନଭେମ୍ବର ୨୩ ତାରିଖରେ ସୌରିନ୍ ଭଟ୍ଟଙ୍କ ବିରୋଧରେ ଏନବିଡ଼ବ୍ଲୁ ଜାରି କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୌରିନ୍ ଭଟ୍ଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ହାଇକୋର୍ଟ ଏନବିଡ଼ବ୍ଲୁ ଉପରେ ରହିତାଦେଶ ଜାରି କରିବା ସହ ସୌରିନ୍ ଭଟ୍ଟଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ କହିଥିଲେ । ତାଙ୍କ ଓକିଲ ମଧ୍ୟ ହାଇକୋର୍ଟଙ୍କୁ ଜଣାଇଥିଲେ ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ସୌରିନ୍ ନିମ୍ନ ଅଦାଲତରେ ହାଜର ହେବେ । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ନିମ୍ନ ଅଦାଲତରେ ହାଜର ନହେବାରୁ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପୂର୍ବରୁ ଜାରି କରିଥିବା ରହିତାଦେଶକୁ ହଟାଇ ଦେବା ସହ ନିମ୍ନ ଅଦାଲତକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।


