ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ

ଛତ୍ରପୁର, (ଓ୍ବାଇଏନଏସ): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ନୟାଗଡ଼ ଲାଠିପଡ଼ା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୫ମ କିସ୍ତି ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହାପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ସିଧାସଳଖ ପଠାଯାଇଥିଲା। ଏହି ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସୁଭଦ୍ରା ହିତାଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାକ୍ଷୀ ପୂର୍ଣ୍ଣିମାର ଭାଇ-ଭଉଣୀ ସମ୍ପର୍କର ଭାବନାକୁ ନେଇ ଏକ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଥିଲା। ପ୍ରାରମ୍ଭରେ ସୁଭଦ୍ରା ମା’ମାନେ ଛତ୍ରପୁର ବିଧାୟକ, ଜିଲ୍ଲାପାଳ ଓ ସିଡିଓଙ୍କୁ ଫୁଲ ଓ ଚନ୍ଦନ ଦେଇ ରାକ୍ଷୀ ବାନ୍ଧିଥିଲେ। ଏହା ଭାଇ-ଭଉଣୀ ମଧ୍ୟରେ ଥିବା ସ୍ନେହ, ଭଲପାଇବା ଓ ଆତ୍ମୀୟତାର ସ୍ମୃତିକୁ ଉଜ୍ଜୀବିତ କରିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଛତ୍ରପୁରର ବେବି ମହାରଣା ଓ ବୁଗୁଡ଼ାର କବିତା ମହାରଣାଙ୍କ ସହ ଆଲୋଚନା କରିଥିଲେ। ସୁଭଦ୍ରା ଯୋଜନାରୁ ସେମାନେ ପାଉଥିବା ସୁବିଧା ଓ ଏହାର ପ୍ରଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ମୋଟ ୯ ଲକ୍ଷ ୨୬ ହଜାର ୬୪୧ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ରାକ୍ଷୀ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ଏହି ଅର୍ଥରାଶି ପାଇ ଜିଲ୍ଲାର ସୁଭଦ୍ରା ମା’ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ