ପରିବହନ ବିଭାଗ ପକ୍ଷରୁ ଆସିକାରେ ଖୋଲିଲା କ୍ୟାମ୍ପ କାର୍ଯ୍ୟାଳୟ
ଆସିକା (ୱାଇଏନ୍ଏସ୍) :ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପରାମର୍ଶକ୍ରମେ ଭଂଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବସଷ୍ଟାଣ୍ଡ ପରିସରରେ ଆନୁଷ୍ଠାନିକ ଭାବେ କ୍ୟାମ୍ପ କାର୍ଯ୍ୟାଳୟକୁ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ଲୋକାର୍ପିତ କରିଥିବା ଜଣାପଡିଛି । ଏହି ଅବସରରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଆସିକା ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଂଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକ ସଭାପତିତ୍ୱ କରିଥିଲା ବେଳେ ଉଦ୍ଘାଟକ ରୂପେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଥାନା ଅଧିକାରୀ ସୁଧୀର କୁମାର ସାହୁ, ତହସିଲଦାର ସଙ୍ଗୀତା ସେଣ, ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଜିଲ୍ଲା ପରିଚାଳକ ଅରବିନ୍ଦ ମହାନ୍ତି, ସହକାରୀ ପରିଚାଳକ ଅମିତ୍ ପଣ୍ଡା ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କୁ ଲୋକାର୍ପିତ ହୋଇଥିବା କ୍ୟାମ୍ପ ଅଫିସ କାର୍ଯ୍ୟାଳୟ ଜରିଆରେ ମିଳିବାକୁ ଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଓଡିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଆସିକାରେ ଆନୁଷ୍ଠାନିକ ଭାବେ ଖୋଲିଥିବା କ୍ୟାମ୍ପ କାର୍ଯ୍ୟାଳୟର ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି, ବିଜୟ କୁମାର ସ୍ୱାଇଁ, ପ୍ରସନ୍ନ କୁମାର ଗୌଡ, ସମାଜସେବୀ ସୁନିଲ୍ କୁମାର ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଆସିକା ବସଷ୍ଟାଣ୍ଡ କାର୍ଯ୍ୟାଳୟର ସୁପରଭାଇଜର୍ ସୌମ୍ୟରଂଜନ ବେହେରା, ଭଞ୍ଜନଗର ବସଷ୍ଟାଣ୍ଡ କାର୍ଯ୍ୟାଳୟର ସୁପରଭାଇଜର ଆଶିଷ୍ ମିଶ୍ର, ବେଲଗୁଣ୍ଠ ବସଷ୍ଟାଣ୍ଡ କାର୍ଯ୍ୟାଳୟର ସୁପରଭାଇଜର କ୍ଷୀରୋଦ ବେହେରା, ସୋରଡା ବସଷ୍ଟାଣ୍ଡ କାର୍ଯ୍ୟାଳୟର ସୁପରଭାଇଜର ବିରାଜ କୁମାର ସାହୁଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ଅଞ୍ଚଳ ରୂପେ ପରିଚିତ ଥିବା ଆସିକାରେ ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର ଲୋକାର୍ପିତ ହୋଇଥିବା କ୍ୟାମ୍ପ ଅଫିସ୍ ସପ୍ତାହରେ ୨ ଦିନ କାମ କରିବ ବୋଲି ଜଣାପଡିଛି । ଏଣିକି ପରିବହନ ସଂକ୍ରାନ୍ତୀୟ କାମ ଆସିକାରେ ଅତି ସହଜରେ ହେବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଏଣିକି ସହଜରେ ଆସିକା କ୍ୟାମ୍ପ ଅଫିସରେ ଉପଲବ୍ଧ ହୋଇପାରିବ । ଆସିକାରେ ଖୋଲିଥିବା କ୍ୟାମ୍ପ ଅଫିସ୍ ଭଂଜନଗର ପରିବହନ ବିଭାଗ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ ଏବଂ ବିଭିନ୍ନ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ବିଗତ କିଛି ବର୍ଷ ହେଲା ଯାନବାହାନ ବିକ୍ରୀ ସହିତ ତତ୍ସଂକ୍ରାନ୍ତୀୟ ସେବାର ଆବଶ୍ୟକତା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଜନସାଧାରଣଙ୍କୁ ସଠିକ୍ ସମୟରେ ତ୍ୱରିତ୍ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଥିଲା । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଆସିକାରେ କ୍ୟାମ୍ପ ଅଫିସ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇ ଗତ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆର୍ଟିଓ ଅଫିସ୍ ପରି ଆସିକା କ୍ୟାମ୍ପ୍ ଅଫିସରେ ମଧ୍ୟ ପରିବହନ ସଂପର୍କିତ ସେବା ଏଣିକି ଉପଲବ୍ଧ ହେବ ବୋଲି ଜଣାପଡିଛି । ଯାହାରି ଫଳରେ କ୍ୟାମ୍ପ ଅଫିସରେ ଆସିକାରେ କାର୍ଯ୍ୟକ୍ଷମ ହେବା ପରେ ସାଧାରଣ ଜନତାଙ୍କୁ ପରିବହନ ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ଆଉ ଭଂଜନଗର କିମ୍ବା ଛତ୍ରପୁରକୁ ଯିବାକୁ ପଡିବ ନାହିଁ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିକାରେ କ୍ୟାମ୍ପ୍ ଅଫିସ୍ ଖୋଲିବା ପରେ ବିଭିନ୍ନ ମହଲରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି । ଭଂଜନଗର ପରିବହ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକାରେ ଖୋଲିଥିବା କ୍ୟାମ୍ପ୍ ଅଫିସ୍ ମାଧ୍ୟମରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ପଞ୍ଜିକୃତ ଗାଡି ଗୁଡିକର ପରମିଟ୍, ଫିଟ୍ନେସ୍, ରୋଡ ଟ୍ୟାକ୍ସ ସମେତ ଅନ୍ୟାନ୍ୟ କାର୍ଯ୍ୟ ହୋଇପାରିବ ବୋଲି ଜଣାପଡିଛି ।


