ଶିଶୁଙ୍କ ପାଇଁ ପରିବାରଭିତ୍ତିକ ଯତ୍ନକୁ ପ୍ରାଥମିକତା ଦିଆଯାଉ

ଛତ୍ରପୁର, (ଓ୍ବାଇଏନଏସ): ଶିଶୁମାନଙ୍କ ପରିବାରଭିତ୍ତିକ ଯତ୍ନ ଏବଂ ପରିବାରଠାରୁ ଶିଶୁ ବିଚ୍ଛିନ୍ନତା ରୋକିବା ସମ୍ପର୍କିତ ଏକ ଆଞ୍ଚଳିକସ୍ତରୀୟ ପରାମର୍ଶ ବୈଠକ ଶନିବାର ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦର ରୁଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ୟୁନିସେଫ୍‌ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ବୈଠକ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଯୋଗଦେଇ ଶିଶୁ ସୁରକ୍ଷା ଓ ପରିବାରଭିତ୍ତିକ ଯତ୍ନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, ପରିବାର ସଶକ୍ତ, ସୁଦୃଢ଼ ଓ ବିକଶିତ ହେଲେ ଶିଶୁଙ୍କ ସାମଗ୍ରିକ ବିକାଶ ସମ୍ଭବ ହେବ। ସୁସ୍ଥ ଶିଶୁ ହିଁ ବିକଶିତ ଓଡ଼ିଶାର ଭିତ୍ତି। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି ସେ ମତପ୍ରକାଶ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଯେପରି ପରିବାରଗୁଡ଼ିକ ଠିକ୍‌ ଭାବେ ପାଇପାରିବେ, ସେଥିପାଇଁ ସମସ୍ତ ବିଭାଗ ଓ ଅଂଶୀଦାରଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଅଧ୍ୟକ୍ଷା କହିଥିଲେ। ଶିଶୁମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖିବା ପୂର୍ବରୁ ସେମାନେ କେଉଁଠି ଓ କାହା ସହ ସୁରକ୍ଷିତ ଭାବେ ରହିବାକୁ ଚାହୁଁଛନ୍ତି, ସେ ସମ୍ପର୍କରେ ଶିଶୁଙ୍କ ମତାମତକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ। ଯତ୍ନ କେନ୍ଦ୍ରରେ ସମସ୍ତ ସୁବିଧା ମିଳିଲେ ମଧ୍ୟ ପରିବାରର ସ୍ନେହ ଓ ଆତ୍ମୀୟତା ସବୁବେଳେ ମିଳିପାରେ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରତ୍ୟେକ ପଞ୍ଚାୟତ ଅସହାୟ ଶିଶୁଙ୍କ ଦାୟିତ୍ୱ ନେବା ସହ ପୋଷ୍ୟ ସନ୍ତାନ ଓ କନ୍ୟା ଭାବେ ଗ୍ରହଣ କରିବା ଏବଂ ପରିବାରର ପ୍ରତିପୋଷଣ ଏବଂ ଆବଶ୍ୟକ ଅର୍ଥ ସହାୟତା ଯୋଗାଇବା ଦିଗରେ ପଦକ୍ଷେପ ନେଲେ ଶିଶୁମାନେ ପରିବାର ମଧ୍ୟରେ ରହି ବିକଶିତ ହୋଇପାରିବେ ବୋଲି ସେ ପରାମର୍ଶ ଦେଇଥିଲେ। ଏଥିସହ ଶିଶୁ ସୁରକ୍ଷା ଓ ସାମଗ୍ରିକ ବିକାଶ ପାଇଁ ଏକ  ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରି ଜିଲ୍ଲାର କେତେକ ପଞ୍ଚାୟତକୁ ପାଇଲଟ୍‌ ଭାବେ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ବୌଦ୍ଧ, ଗଜପତି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଶିଶୁ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ବିଭାଗ, ଶିଶୁ କଲ୍ୟାଣ କମିଟି ସଦସ୍ୟ, ବିଭିନ୍ନ ସଂସ୍ଥା ଓ ଅଂଶୀଦାରମାନେ ଯୋଗଦେଇ ମତାମତ ରଖିଥିଲେ। ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ୫ଟି ଶିଶୁ ଯତ୍ନ କେନ୍ଦ୍ରରେ ୮୩ ଜଣ, ଗଜପତିର ୬ଟି କେନ୍ଦ୍ରରେ ୧୯୮ ଜଣ, ଗଞ୍ଜାମର ୧୦ଟି କେନ୍ଦ୍ରରେ ୨୧୨ ଜଣ ଏବଂ କନ୍ଧମାଳର ୧୨ଟି କେନ୍ଦ୍ରରେ ୬୪୨ ଜଣ ଶିଶୁ ରହୁଛନ୍ତି। ଅସହାୟ, ଅସୁରକ୍ଷିତ ଓ ସଙ୍କଟାପନ୍ନ ଶିଶୁମାନଙ୍କ ପାଇଁ ପରିବାରଭିତ୍ତିକ ଯତ୍ନକୁ ପ୍ରାଥମିକତା ଦେବା, ଆବଶ୍ୟକ ସ୍ଥଳରେ ପରିବାରକୁ ସାମାଜିକ, ଆର୍ଥିକ ଓ ମନୋସାମାଜିକ ସହାୟତା ଯୋଗାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିଷ୍ଠାନଭିତ୍ତିକ ଯତ୍ନ ବଦଳରେ ପରିବାର ଓ ସମୁଦାୟଭିତ୍ତିକ ଯତ୍ନକୁ ଅଧିକ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ୟୁନିସେଫ୍‌ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଓ ଶିଶୁ ସୁରକ୍ଷା ବିଶେଷଜ୍ଞ ମାନ୍ନା ବିଶ୍ୱାସ ଯୋଗଦେଇ ଶିଶୁ ସୁରକ୍ଷା ଓ ପରିବାରଭିତ୍ତିକ ଯତ୍ନ ସମ୍ପର୍କରେ ବିଭିନ୍ନ ମତାମତ ରଖିଥିଲେ। ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ସହ ଏକ ଶିଶୁ-ବନ୍ଧୁ ଓଡ଼ିଶା ଗଠନ ଏବଂ ୨୦୩୬ର ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ପରିବାରଭିତ୍ତିକ ଯତ୍ନ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ