ଜାତୀୟ କ୍ରୀଡ଼ା ଦିବସ ପାଳିତ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଭାରତର ଶ୍ରେଷ୍ଠ ହକି ଖେଲାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଭାରତ କ୍ରୀଡା ଦିବସ ଭାବେ ପାଳି ଆସୁଛି। ଏଥିଲାଗି ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଜୀବନରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ପ୍ରାକ୍ତନ ପ୍ରଧାନଶିକ୍ଷକ ନବକିଶୋର ବିଶ୍ୱାଳ, ବରିଷ୍ଠ ଶିକ୍ଷକ ମାଧବାନନ୍ଦ ଜେନା, ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା ଓ ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଖେଳକୁଦ କେବଳ ଶାରୀରିକ ବିକାଶର ମାଧ୍ୟମ ନୁହେଁ, ଏହା ମାନସିକ ସୁସ୍ଥତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ସାମାଜିକ ଗୁଣର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ନିୟମିତ କ୍ରୀଡ଼ା ଅଭ୍ୟାସ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନଯାପନ ସହିତ ଭବିଷ୍ୟତରେ ଏକ ସୁନ୍ଦର କ୍ୟାରିୟର ଗଢ଼ିବାରେ ସହାୟକ ହୋଇଥାଏ ବୋଲି ଅତିଥିମାନେ କହିଥିଲେ। କ୍ରୀଡ଼ା ଶିକ୍ଷକ ଶାନ୍ତନୁ କୁମାର ରାଉତ ଛାତ୍ରଛାତ୍ରୀଙ୍କୁ ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। କ୍ରୀଡ଼ା ମାଧ୍ୟମରେ ବ୍ୟକ୍ତିଗତ ସଫଳତା ସହିତ ପରିବାର, ବିଦ୍ୟାଳୟ ଓ ନିଜ ଗ୍ରାମର ଗୌରବ ବୃଦ୍ଧି କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି କ୍ରୀଡ଼ାର ଚାରିଟି ପ୍ରମୁଖ ଦିଗ—ଶାରୀରିକ ବିକାଶ, ମାନସିକ ସୁସ୍ଥତା ଓ ଶୃଙ୍ଖଳା, ସାମାଜିକ ଗୁଣର ବିକାଶ ଏବଂ ଭବିଷ୍ୟତରେ କ୍ୟାରିୟର ଗଠନ—ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ସତ୍ୟବ୍ରତ ବିଶ୍ୱାଳ ଓ ପର୍ଶୁରାମ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ କ୍ରୀଡ଼ାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ କରିବା ସହ ନିୟମିତ ଖେଳକୁଦରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ