ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ବଂଟନରେ ଅନୀୟମିତତା ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ନାଞ୍ଜୁରା ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ବଂଟନରେ ବ୍ୟାପକ ଅନୀୟମିତତା ହୋଇଥିବା ସୋମବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ ହୋଇଛି । ସୂଚନା ଅଧିକାର କର୍ମୀ ମୁକୁନ୍ଦ ମହାପାତ୍ର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେ ସୂଚନା ଅଧିକାର ଆଇନରେ ପାଇଥିବା ତଥ୍ୟ ଅନୁଯାଇ ୨୦୧୭-୧୮,୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ନାଞ୍ଜୁରା ପଂଚାୟତର ୯ଟି ଗ୍ରାମ ଯଥା ନାଞ୍ଜୁରା, ତନ୍ତିଆପାଳ, ଭୋପାଳ, ପାଣିଖିଆ, ଶାସନ, ମୁଣ୍ଡାତଳ, ସାହାରାକଇଁ, ରଟପଙ୍ଗ, ନରସିଂଗପୁର ଓ ଦୋଳିଗାଁ ପ୍ରଭୃତି ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ବଂଟନରେ ବ୍ୟାପକ ଅନୀୟମିତତା ହୋଇଛି । ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ମାତ୍ର ୫୬ଜଣ ହିତାଧିକାରୀ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଜଣେବି କେହି ହିତାଧିକାରୀ ଗୃହ ନିର୍ମାଣ ଶେଷ କରିନଥିବା ସେହି ସୂଚନାରୁ ଜଣାପଡିଛି । ସେ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ କୋଠାଘର ଥିବା ଲୋକଙ୍କୁ ଏହି ଯୋଜନାରେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିବା ବେଳେ ସେମାନେ ପୁରୁଣା ଘରକୁ ଦେଖାଇ ସରକାରୀ କିସ୍ତି ଅର୍ଥ ଉଠାଉଛନ୍ତି । ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ ଏକ ମହଲା, ଦୁଇ ମହଲା କୋଠାଘର ଥିବା ଲୋକ ଓ ସରକାରୀ ସ୍କୁଲର ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ମଧ୍ୟ ଏହି ଯୋଜନାରେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିବା ସୂଚନା ଅଧିକାର ଆଇନରେ ପ୍ରାପ୍ତ ସୂଚନାରୁ ସେ ଜାଣିବାକୁ ପାଇଥିବା ଅଭିଯୋଗ କରିଛନ୍ତି । ତେଣୁ ଏହି ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଚାଳଛପର ଘରେ ରହୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଗୃହ ଯୋଗାଇ ଦେବାକୁ ମୁକୁନ୍ଦ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ ତଦନ୍ତ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ