ସରକାରୀ ରାସ୍ତା ଜବରଦଖଲ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ସରକାରୀ ରାସ୍ତାକୁ ଜବରଦଖଲ କରାଯାଇ ସେହି ରାସ୍ତା ଉପରେ ଘର ଓ ପାଚେରୀ ନିର୍ମାଣ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ତହସିଲର ଛୋଟୀ ରାଜସ୍ୱ ସର୍କଲ ଅଧିନ ପଲ୍ଲୀରଘୁନାଥପୁର ଗ୍ରାମରେ ହାଲ ଖାତା -୭୧୪, ହାଲପ୍ଲଟ ନମ୍ବର-୧୩୫୬ ଏରିଆ ଏ୦. ୨୮ଡିସିମିଲ ସରକାରୀ ଜମି ଏକ ସର୍ବସାଧାରଣ ରାସ୍ତା ରହିଛି। ଏହାକୁ ଗ୍ରାମବାସୀମାନେ କେଉଁ ଆବାହମାନ କାଳରୁ ରାସ୍ତା ଭାବରେ ବ୍ୟବହାର କରିଆସୁଛନ୍ତି। ସେହି ରାସ୍ତାକୁ ଜବରଦଖଲ କରାଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଡେରାବିଶ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତହସିଲଦାର ସେହି ରାସ୍ତାର ସୀମା ନିର୍ଦ୍ଧାରଣ କରିବା ନିମନ୍ତେ ନୋଟିସ ଜାରି କରିବା ପରେ ତହସିଲର ଅମୀନଙ୍କ ଦ୍ୱାରା ଗତ ଜୁଲାଇମାସ ୨୧ତାରିଖରେ ମାପ କରାଯାଇ ରାସ୍ତାର ସୀମା ନିର୍ଦ୍ଧାରଣ କରାଯାଇଥିଲା। ସେହି ସର୍ବସାଧାରଣ ରାସ୍ତା ଥିବା ପ୍ଲଟର କେତେକ ଅଂଶ ଗ୍ରାମର ମନୋରଞ୍ଜନ ଜେନାଙ୍କ ଦ୍ୱାରା ଜବରଦଖଲ ହୋଇ ରହିଥିବା ଯୋଗୁଁ ଗ୍ରାମବାସୀମାନେ ଦୈନିକ ଯାତାୟତରେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ସୀମା ନିର୍ଦ୍ଧାରଣ କରାଯାଇଥିବା ସେହି ରାସ୍ତାକୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଜବରଦଖଲ ମୁକ୍ତ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ମନୋରଞ୍ଜନ ବଳ, ସୁବାସ ଜେନା, ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ଦାବି କରିଛନ୍ତି।


