ବନ୍ୟା ଓ ରିଲିଫ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ:ସିପିଆଇ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଚଳିତ ବର୍ଷ ବ୍ରାହ୍ମଣୀ ସିଷ୍ଟମରେ ଲଗାତର ବନ୍ୟା କାରଣରୁ ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ପ୍ରଭୃତି ଚାରିଟି ବ୍ଲକ ଅଞ୍ଚଳର ୫୧ଟି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ ଗୋଟି ୱାର୍ଡର ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି। ମାସାଧିକ କାଳ ଧରି ଲୋକେ ସର୍ପ, କୁମ୍ଭୀର ଓ ବାରାହା ଆତଙ୍କରେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ସରକାରୀ ଅବହେଳା ଓ ପ୍ରଶାସନିକ ସ୍ଥାଣୁତା ଲୋକଙ୍କ ଏହି ଦୁଃଖକୁ ବହୁ ଗୁଣିତ କରିଛି ବୋଲି ସିପିଆଇ ଅଭିଯୋଗ କରିଛି। ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥୀ ରମଣୀରଞ୍ଜନ ରାଉତରାୟଙ୍କ ସମେତ ଜିଲ୍ଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ସହ ସମ୍ପାଦକ ଆଦିକନ୍ଦ ରାଉଳ ଓ ବରିଷ୍ଠ ନେତା ବାବାଜୀ ଧଳଙ୍କ ନେତୃତ୍ୱରେ ଜିଲ୍ଲା ନେତାମାନେ ଗତ ତିନିଦିନ ଧରି ଜିଲ୍ଲାର ବିଭନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସବୁଠି ପ୍ରଶାସନିକ ଅବହେଳା ପରିଲକ୍ଷିତ ହୋଇଥିବାର ପ୍ରକାଶ କରିଛନ୍ତି। ବନ୍ୟା ପାଇଁ ସରକାରଙ୍କର କୌଣସି ପ୍ରାକ୍ ପ୍ରସ୍ତୁତି ନଥିବା ବେଳେ ବନ୍ୟା ହେବାର ସପ୍ତାହକ ପରେ ଲୋକଙ୍କ ପାଖରେ ଅଳ୍ପ କିଛି ଚୁଡା ପହଞ୍ଚିବା, ରନ୍ଧା ଖାଦ୍ୟର ବ୍ୟବସ୍ଥା ନହେବା, ସ୍ୱାସ୍ଥ୍ୟ ଓ ପରିମଳ ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇ ନପାରିବା ତଥା ସେମାନଙ୍କ ଦୁଃଖ ବୁଝିବା ପାଇଁ ସରକାରଙ୍କ ପକ୍ଷରୁ କେହି ବି ସେମାନଙ୍କ ପାଖରେ ନ ପହଞ୍ଚିବା ସରକାରଙ୍କ ଅପାରଗତା, ହୃଦୟ ହୀନତା ତଥା ପ୍ରଶାସନିକ ସ୍ଥାଣୁତାକୁ ପ୍ରଦର୍ଶିତ କରୁଛି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଏଥିସହିତ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ପଠାଇ ଆବଶ୍ୟକୀୟ ସହାୟତା ତୁରନ୍ତ ଯୋଗାଇ ଦେବା ସହିତ ବନ୍ୟାଞ୍ଚଳର ଚାଷୀମାନଙ୍କ ସମସ୍ତ କୃଷି ଋଣ ଛାଡ କରିବା ସଙ୍ଗେ ସଙ୍ଗେ ଆଗାମୀ ଖରିଫ୍ ଚାଷ ପାଇଁ ବିନା ମୂଲ୍ୟରେ ବିହନ, ସାର, କୀଟନାଶକ ଓ ବିନା ସୁଧରେ ଋଣ ଯୋଗାଇ ଦେବାକୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ