ବିଦ୍ୟୁତ୍ ଆଘାତରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ପାତ୍ରପୁର,(ୱାଇଏନଏସ): ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ର ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ମୃତ ଛାତ୍ର ହେଲେ ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ ପ୍ରଧାନ (୧୬)। ଚନ୍ଦନ ପଦାଦିଗି ପଞ୍ଚାୟତ ଅନ୍ତର୍ଗତ ନାରଣପୁର ଗ୍ରାମରେ ମାଉସୀ ଘରେ ରହି ଚେତନା ନନ୍ଦ ବିଦ୍ୟାମନ୍ଦିର ତଣ୍ଡି ପୁର ରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ରବିବାର ସେ ମାଉସୀ ଙ୍କ ଘର ଛାତ ଉପରକୁ ଯାଇଥିବା ସମୟରେ ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ୍ ଆଘାତରେ ସେ ଛିଟିକି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡ଼ିଛି। ଛାତ୍ରଙ୍କ ଅକାଳ ମୃତ୍ୟୁରେ ଭୈରପୁର ଓ ନାରଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


