ଖାଲି ପଡିଥିବା ୫ ସେବା ସମବାୟ ସମିତିରେ ସ୍ଥାୟୀ ସଂପାଦକ ନିଯୁକ୍ତି କେବେ?
ଆସିକା (ୱାଇଏନ୍ଏସ୍) : ଚାଷୀଙ୍କ ହିତ ଓ କୃଷି ସମ୍ବନ୍ଧୀୟ ସୁବିଧାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆସିକା ବ୍ଳକ ଓ ପୌର ପରିଷଦ ଅଧିନସ୍ଥ ଅଞ୍ଚଳରେ ୨୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯ୍ୟକ୍ଷମ ଥିଲା ବେଳେ ସେଥି ମଧ୍ୟରୁ ୫ଟି ସେବା ସମବାୟ ସମିତି ଗୁଡିକରେ ଦୀର୍ଘ ଦିନ ହେଲା ସ୍ଥାୟୀ ସଂପାଦକ ପଦବୀ ଖାଲି ପଡିଥିଲା ବେଳେ ସେଗୁଡିକୁ ପୂରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ସରକାରଙ୍କ ଚାଷୀ କଲ୍ୟାଣକାରୀ ଯୋଜନାର ସୁଫଳ କାର୍ଯ୍ୟକାରିତା ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଆସିକା ମଣ୍ଡଳ ଅଧୀନସ୍ଥ ଅଞ୍ଚଳରେ ଥିବା ୨୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ମଧ୍ୟରୁ ଦୀର୍ଘ ଦିନ ହେଲା ମଙ୍ଗଳପୁର, କାଳଷଣ୍ଢପୁର, ପାଣ୍ଡିଆପଥର, ରାମେଶ୍ୱର ଓ ବଡଖୋଲି ସେବା ସମବାୟ ସମିତିରେ ସ୍ଥାୟୀ ସମିତି ସଂପାଦକ ପଦବୀ ଖାଲି ପଡିଥିଲା ବେଳେ ଅତିରିକ୍ତ ଦାୟିତ୍ୱରେ ଅନ୍ୟ କେତେକ ସମିତି ସଂପାଦକ କାର୍ଯ୍ୟନିର୍ବାହ କରୁଥିବା ଦେଖିବାକୁ ମିଳୁଛି । ଅତୀତରେ ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳରେ ୧୯ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ଥିଲା ବେଳେ ଗତ କିଛି ମାସ ତଳେ ନୂତନ ଭାବେ ଖଣ୍ଡଦେଉଳୀ ପଞ୍ଚାୟତରେ ରାମେଶ୍ୱର ସେବା ସମବାୟ ସମିତି ଗଠନ କରାଯାଇଥିଲା । ରାମେଶ୍ୱର ସେବା ସମବାୟ ସମିତିରେ ସ୍ଥାୟୀ ସଂପାଦକ ପଦବୀ ଠାରୁ ଆରମ୍ଭ କରି ନିର୍ବାଚିତ ସଭାପତି ଓ ପରିଚାଳନାବର୍ଗ କମିଟି ଖାଲି ପଡିଥିବା ଜଣାପଡିଛି । ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଆସିକା ମଣ୍ଡଳ ଅଧୀନସ୍ଥ ବଡଖୋଲି ସେବା ସମବାୟ ସମିତିରେ ସ୍ଥାୟୀ ସମିତି ସଂପାଦକ ପଦବୀ ଖାଲି ପଡିଥିଲା ବେଳେ ଅତିରିକ୍ତ ଦାୟିତ୍ୱରେ ଅନ୍ୟ ଜଣେ ସମିତି ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଥିବା ଜଣାପଡିଛି । ଅପର ପକ୍ଷରେ ବଡଖୋଲି ସେବା ସମବାୟ ସମିତିରେ ଅତୀତରେ କାର୍ଯ୍ୟରତ ଜନୈକ ସମିତି ସଂପାଦକ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଥିଲା ବେଳେ ଏବେ ବି ଚୌକି ମୋହ ନ ଛାଡି ବିଭିନ୍ନ ସମୟରେ ସମିତି କାର୍ଯ୍ୟାଳୟକୁ ଆସି ବିଭିନ୍ନ କାର୍ଯ୍ୟ କରୁଥିବା କେତେକ ମହଲରେ ଚର୍ଚ୍ଚା ହେଉଥିଲା ବେଳେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକାରେ ଖାଲି ପଡିଥିବା ୫ ସେବା ସମବାୟ ସମିତିରେ ସ୍ଥାୟୀ ସଂପାଦକ ପଦବୀ ନିଯୁକ୍ତିରେ ବିିଳମ୍ବ ସଂକ୍ରାନ୍ତରେ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ଖାଲି ପଡିଥିବା ସ୍ଥାୟୀ ସମିତି ସଂପାଦକ ପଦବୀ ଗୁଡିକ ପୂରଣ ଲାଗି ପଦକ୍ଷେପ ନିଆଯିବା ସାଙ୍ଗକୁ ଅବସର ପରେ ବି ବଡଖୋଲି ସେବା ସମବାୟ ସମିତି କାର୍ଯ୍ୟାଳୟକୁ କେତେକ ସମୟରେ ଆସୁଥିବା କର୍ମଚାରୀଙ୍କ ସଂକ୍ରାନ୍ତରେ ହେଉଥିବା ଅଭିଯୋଗର ତଦନ୍ତ କରାଯାଇ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକାର ୫ଟି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଖାଲି ପଡିଥିବା ସ୍ଥାୟୀ ସମିତି ସଂପାଦକ ପଦବୀ ପୂରଣ ସାଙ୍ଗକୁ ବଡଖୋଲି ସେବା ସମବାୟ ସମିତିକୁ ଅବସର ପରେ ବି କେତେକ ସମୟରେ ଆସୁଥିବା କର୍ମଚାରୀଙ୍କ ସଂକ୍ରାନ୍ତରେ ହେଉଥିବା ଅଭିଯୋଗର ସତ୍ୟାସତ୍ୟ ଉନ୍ମୋଚନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।


