୩୪ଗ୍ରାମ ବ୍ରାଉନସୁଗାର ଚୋରାମଦ ଜବତ, ୯ ଗିରଫ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱ୍ୱାବଧାନରେ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି। ପଟ୍ଟାମୁଣ୍ଡାଇ ଟାଉନ ଥାନା ଅଧିନ ମାଟିଆ ଗ୍ରାମର ସାଗର ମଲ୍ଲିକ(୨୫)ଙ୍କ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ଦୁଇ ଚକିଆ ଯାନ ଜବତ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ମାଟିଆ ଗ୍ରାମର ସନ୍ତୋଷ ମଲ୍ଲିକ(୨୫), ଗଙ୍ଗାରାମପୁର ଗ୍ରାମର ବିଦ୍ୟାଧର ନାୟକ, ଗୁଣୁପୁର ଗ୍ରାମର ନକୁଳ ଜେନା, ନିଗନପୁର ଗ୍ରାମର ସମୀର ସେଠୀ, ବଡମୋହନପୁର ଗ୍ରାମର ମନୋରଞ୍ଜନ ମଲ୍ଲିକଙ୍କ ଠାରୁ ମୋଟ ୪୦ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି। ନିକିରେଇ ଥାନା ଅଧିନ ତନାର ଗ୍ରାମର ପ୍ରଫୁଲ୍ଲ ପାତ୍ରଙ୍କ ଠାରୁ ୨୦ ଲିଟର ଚୋରା ବିଦେଶୀ ମଦ ଓ ଗୋଟିଏ ଦୁଇ ଚକିଆ ଯାନ ଜବତ କରାଯାଇଥିବା ବେଳେ ମାର୍ଶାଘାଇ ଥାନା ଅଧିନ ପ୍ରବକପୁର ଗ୍ରାମର ଟୀକା ଗୋବିନ୍ଦ ଚନ୍ଦ୍ର ଖିଲାରଙ୍କ ଠାରୁ ୨୦ ଲିଟର ଓ ଝରଣା ରାଉତଙ୍କ ଠାରୁ ୧୮ ଲିଟର ଚୋରା ରନ୍ଧା ମଦ ଜବତ କରାଯାଇଛି। ଏହି ମାମଲାରେ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ଦୀପକ କୁମାର ଜେନା, ରଞ୍ଜନ କୁଆଁର ପାତ୍ର ଏବଂ ଅବକାରୀ ନିରୀକ୍ଷକ ସନ୍ଧ୍ୟାରାଣୀ ଦାସଙ୍କ ସମେତ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


