ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ, ବନ୍ଧା ହେଲେ ୩ ପଞ୍ଚାୟତ ଅଧିକାରୀ
କଟକ,(ଓ୍ବାଇଏନଏସ): ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ୩ ଜଣ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେମାନେ ବାର୍ଦ୍ଧକ୍ୟ ଭତ୍ତାକୁ ଜାଲିଆତି କରି ନିଜର ବ୍ୟକ୍ତିଗତ ଫାଇଦା ପାଇଁ ୧୬.୭୬ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଖରା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ସୁବ୍ରତ କୁମାର ପତି । ବର୍ତ୍ତମାନ କୁସୁଡ଼ା ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଛନ୍ତି। କୁମ୍ଭାରମୁଳି ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂ । ବର୍ତ୍ତମାନ ଖଇରା ବ୍ଲକରେ କାର୍ଯ୍ୟରତ ଅଛନ୍ତି। ଭୋଗରାଇ ବ୍ଲକ ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଳାଇ । ଭିଜିଲାନ୍ସର ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୨ରୁ ୨୦୨୫ ମଧ୍ୟରେ ନିଜ ନିଜ କାର୍ଯ୍ୟକାଳ ସମୟରେ ଏହି ଅଧିକାରୀମାନେ ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ପ୍ରତିମାସ ବାଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ ଭୋଗରାଇ ବ୍ଲକ ଉନ୍ନୟନ କାର୍ଯ୍ୟାଳୟରୁ ନିୟମିତ ଭାବେ ଅଗ୍ରିମ ଟଙ୍କା ଉଠାଉଥିଲେ। ତେବେ ଭତ୍ତା ବଣ୍ଟନ ପରେ ବଳକା ରହିଯାଉଥିବା ଅବ୍ୟବହୃତ ଟଙ୍କାକୁ ସରକାରୀ ହିସାବରେ ଜମା କରିବା କିମ୍ବା ଏହାର ହିସାବ ଦେବା ପରିବର୍ତ୍ତେ ତିନିଜଣ ଅଭିଯୁକ୍ତ ଯୋଜନାବଦ୍ଧ ଭାବେ ହଡପ କରିଥିଲେ। ମୋଟ ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି। ୩ ଅଭିଯୁକ୍ତଙ୍କୁ ବାଲେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।


