ବିଭିନ୍ନ ଉନ୍ନୟନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ବୈଠକ
ଛତ୍ରପୁର(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଗତି-୪୯୩, ଭିବିଜି ରାମଜୀ, ସ୍ୱଚ୍ଛ ଭାରତ ମିଶନ, ‘ବିକଶିତ ଗ୍ରାମ ବିକଶିତ ଓଡ଼ିଶା’, ସିଏଫ୍ସି, ଏସ୍ଏଫ୍ସି, ଗ୍ରାମୀଣ ଗୃହ ଯୋଜନା ଓ ଉଲା ଆଦି ଯୋଜନାର ଅଗ୍ରଗତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭିନ୍ନ ଯୋଜନାର ବର୍ତ୍ତମାନ ସ୍ଥିତି ସମୀକ୍ଷା କରି ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଗୁଣବତ୍ତା ବଜାୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଯୋଜନାଗୁଡ଼ିକର ସୁଚାରୁ କାର୍ଯ୍ୟାନ୍ୱୟନ ସହ ଏହାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀ ଓ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ, ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଜିଲ୍ଲା ପରିଷଦର ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁଙ୍କ ସମେତ ବିଡିଓ, ଏଇଇ, ଏପିଓ, ବିଭିନ୍ନ ବିଭାଗର ଅଧିକାରୀ ଓ ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।


