ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୪୦ଟି ଆବେଦନପତ୍ର ପଂଜିକୃତ କରାଯାଇଥିଲା। ଏଥି ମଧ୍ୟରୁ ଅସ୍ଥିଶଲ୍ୟରେ ୩୯ଟି,ମାନସିକ ଅନଗ୍ରସରରେ ୪୬ଟି,ଚକ୍ଷୁରେ ୬ଟି, ବାକ୍‌,ଶ୍ରବଣ ଓ ଶକ୍ତିବାଧିତରେ ୯ଟି,ଭେଷଜରେ ୨୫ଟି ଓ ଥାଲାସେମିଆରେ ୫ଟି ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଥିଲା। ଅବଶିଷ୍ଠ ୧୦ଟି ଆବେଦନ ମଧ୍ୟରୁ ୪ଟି ଆବେଦନପତ୍ରକୁ ଖାରଜ କରାଯାଇଥିବା ବେଳେ ୨ଟି ଆବେଦନପତ୍ରକୁ ରେଫର ଏବଂ ୪ଟି ଅନୁପସ୍ଥିତ ଥିଲେ। ଏଥିରେ ସମସ୍ତ ବିଭାଗର ଡାକ୍ତରମାନେ ଯୋଗ ଦେଇ ରୋଗୀମାନଙ୍କୁ ପରୀକ୍ଷା କରିଥିଲେ। ବିଡିଓ ନିରଞ୍ଜନ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍‌ଘାଟନ କରିବା ସହ ଏହି ଶିବିରରେ ନାମ ପଂଜିକରଣ କରିଥିବା ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ୱାଇଁ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା.ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଅଭିଯାନ ସଂର୍ପକରେ ଗୁରୁତ୍ୱାରୋପ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ମଂଚ ପରିଚାଳନା କରିଥିବା ବେଳେ ଭାରାପ୍ରାପ୍ତ ବ୍ଳକ ସାମାଜିକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ୱାଗତ ରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରକୁ ଏବିଡିଓ ଦିନେଶ ରାୟ, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ସୌରଜିତ୍ ମହାପାତ୍ର, ଯୋଗାଣ ନିରୀକ୍ଷକ ପ୍ରଦୀପ୍ତ ପ୍ରସନ୍ନ ନାୟକ, ବିଏସଏସଓ ବ୍ୟକ୍ତିଗତ ସହାୟକ ପ୍ରଶନ୍ନଜିତ ନାୟକ ପ୍ରମୁଖ ପରିଚାଳନା କରୁଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ସମସ୍ତ ବ୍ଲକ କର୍ମଚାରୀ ଓ ଅଙ୍ଗନୱାଡି କର୍ମୀମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ