ବାଲେଶ୍ୱର କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି
ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଏଥିପାଇଁ ଗଠିତ ଜିଲ୍ଲାସ୍ତରୀୟ କ୍ରିୟାନୁଷ୍ଠାନ ପକ୍ଷରୁ ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅଭୟ ଚନ୍ଦ୍ର ମିଶ୍ର ଗତ ବୈଠକରେ ବିବରଣୀ ପାଠ କରିଥିବା ସହିତ ଆୟ-ବ୍ୟୟର ବିବରଣୀ ପ୍ରଦାନ କରିଥିଲେ। ସଭା ଆରମ୍ଭରେ ନେପାଳର ପ୍ରଳୟଙ୍କରୀ ହିମସ୍ଖଳନଜନିତ ବନ୍ୟାରେ ମୃତାହତ ଓ ବାସଶୂନ୍ୟ ହୋଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଶ୍ରୀ ମିଶ୍ର ଦୈନିକ ସମାଜ ୧୪-୦୮-୨୬ରେ ପ୍ରକାଶିତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ଏକାଡେମୀ ପରିଷଦର ଘୋଷଣା ଅନୁଯାୟୀ ରାଜ୍ୟରେ ଅଧିକ ୨ଟି କୃଷି ମହାବିଦ୍ୟାଳୟ ରାଇରଙ୍ଗପୁର ଓ ବଲାଙ୍ଗୀର ଏବଂ ପଶୁବିଜ୍ଞାନ ଓ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଯଥାକ୍ରମେ ଚିପିଲିମା ଓ ସୋନପୁରରେ ପ୍ରତିଷ୍ଠା ନିଷ୍ପତ୍ତି ହୋଇଛି ବୋଲି ପ୍ରକାଶ କରିଥିଲେ। ବିଶେଷକରି ରାଇରଙ୍ଗପୁରରେ ଅସ୍ଥାୟୀ କ୍ୟାମ୍ପସ୍ରେ ୬୦ଜଣ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଏହାଦ୍ୱାରା ରାଜ୍ୟରେ ଅଧିକ ବୈଷୟିକ ମାନବ ସମ୍ବଳର ବିକାଶ ହେବାର ଥିବାରୁ ସମିତିରେ ଆନନ୍ଦ ପ୍ରକାଶ ପାଇଥିଲା। ମାତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମିତିକୁ ତା ୧୬-୦୧-୨୫ରିଖରେ ମିଳିଥିବା ପ୍ରତିଶ୍ରୁତି ଅନୁଯାୟୀ ବାଲେଶ୍ୱରର ଦାବି ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି ଗଭୀର କ୍ଷୋଭ ପ୍ରକାଶ ପାଇଛି। ଏ ବିଷୟରେ ଜିଲ୍ଲାର ମାନ୍ୟବର ସାଂସଦ ଓ ମାନ୍ୟବର ସମସ୍ତ ବିଧାୟକମାନଙ୍କୁ ଜଣାଇ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି ସ୍ଥିର ହେଲା। ପୁନର୍ବାର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ସାକ୍ଷାତକରି ଆମର ଦାବି ଆଲୋଚନା କରାଯିବା ନିଷ୍ପତ୍ତି ଗ୍ରହଣ କରାଗଲା। ପୁନଃଚ ଆଗାମୀ ଦିନରେ ଆଞ୍ଚଳିକ ବ୍ଲକ୍ ସମିତିମାନଙ୍କରେ ବୈଠକ କରାଯାଇ ତୃଣମୂଳ ସ୍ତରରୁ ଦୁର୍ବାର ଆନ୍ଦୋଳନ କରାଯିବାକୁ ସ୍ଥିର ହେଲା। ପୁଣି ଆଗାମୀ ମୌସୁମୀ ବିଧାନସଭା ଅଧିବେଶନରେ ଆମର ଦାବି ଉପରେ ଘୋଷଣା ହେବ ବୋଲି ଉପସ୍ଥିତ ସଦସ୍ୟା ଆଶା ବ୍ୟକ୍ତ କଲେ। ଅନ୍ୟଥା ଆଗାମୀ ବଜେଟ୍ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଧାରଣା ଦେବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଦିଆଗଲା। ବରିଷ୍ଠ ସଭ୍ୟ ଡ. କ୍ଷିତୀଶ ଚନ୍ଦ୍ର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ଡ. ତାରାକାନ୍ତ ନନ୍ଦ, ରବି ନାରାୟଣ ଭୋଳ, ବିଜନ କୁମାର ଦେ, ସୁରେନ୍ଦ୍ର ପ୍ରସାଦ ବେହେରା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ମାୟାଧର ବିଶ୍ୱାଳ, ସୁରେନ୍ଦ୍ର ପ୍ରସାଦ ଦୀକ୍ଷିତ, ରବି କୁମାର ପାଣିଗ୍ରାହୀ, ଯତୀନ୍ କୁମାର ପାତ୍ର, ସୀତାରାମ ପ୍ରଧାନ, ନିତ୍ୟାନନ୍ଦ ରାଉତ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସଭ୍ୟ ନିତ୍ୟ ଗୋପାଳ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭାପତି ସଭାସାଙ୍ଗ କରିଥିଲେ।


