ଅଙ୍ଗନବାଡ଼ି କର୍ମୀଙ୍କୁ ଆଣ୍ଠେଇ କ୍ଷମା ମାଗିବା ଘଟଣା: ତଦନ୍ତ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

ମାଲକାନଗିରି/ମାଥିଲି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଜଣେ ସୁପରଭାଇଜରଙ୍କ ସମ୍ମୁଖରେ ଆଣ୍ଠେଇ କ୍ଷମା ମାଗିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ହୋଇଥିଲେ ମଧ୍ୟ ଏଯାବତ୍ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବ୍ଲକ ର ଅଙ୍ଗନୱାଡ଼ି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସୂଚନା ଅନୂଯାୟୀ , ଘଟଣାର ପ୍ରତିବାଦରେ ମାଥିଲି ବ୍ଳକ ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପାଞ୍ଚଜଣିଆ ଏକ ତଦନ୍ତକାରୀ ଦଳ ମାଥିଲି ଆସି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ତଦନ୍ତ ଶେଷ ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବାରୁ ଅଙ୍ଗନୱାଡ଼ି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ିବାରେ ଲାଗିଛି । ମହିଳା କର୍ମଚାରୀଙ୍କ ସମ୍ମାନ ଓ ସୁରକ୍ଷା ସହ ଜଡ଼ିତ ଏଭଳି ଅଭିଯୋଗରେ ପ୍ରଶାସନର ବିଳମ୍ବିତ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ନ୍ୟାୟ ଦାବିରେ ମାଥିଲି ଅଙ୍ଗନୱାଡ଼ି କର୍ମୀସଂଘ ପକ୍ଷରୁ ଜିଲ୍ଲା ଆଦିବାସୀ ସଂଘର ସହଯୋଗ ନିଆଯାଇ ଏନେଇ ଲିଖିତ ଅଭିଯୋଗ ମଧ୍ଯ କରାଯାଇଛି। ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ସହ ଅଭିଯୋଗରେ କେହି ଦୋଷୀ ପ୍ରମାଣିତ ହେଲେ ତାଙ୍କ ବିରୋଧରେ ନିୟମାନୁଯାୟୀ ତୁରନ୍ତ କଠୋର ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଲିଖିତ ଅଭିଯୋଗ ପାଇବା ପରେ ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲି ଗଣମାଧ୍ୟମକୁ କହିଛନ୍ତି ଯେ, “ଘଟଣାର ସଠିକ୍ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନ ସାର୍ବଜନୀନ କରିବା ଆବଶ୍ୟକ। ଯଦି ଏହା କରାନଯାଏ, ତେବେ ଆମ ସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ। ଆଦିବାସୀ ଝିଅଙ୍କ ସମ୍ମାନ ଓ ଅଧିକାରକୁ ହେୟଜ୍ଞାନ କରାଯିବା ଆମେ କେବେ ବି ବରଦାସ୍ତ କରିପାରିବୁ ନାହିଁ।” ଘଟଣାର ତୁରନ୍ତ ନ୍ୟାୟସଙ୍ଗତ ପଦକ୍ଷେପ ନିଆଯାଇ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବାକୁ ଅଙ୍ଗନୱାଡ଼ି କର୍ମୀସଂଘ ଓ ଆଦିବାସୀ ମହାସଂଘ ପକ୍ଷରୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ