ଗଞ୍ଜାମ ଉପକୂଳରେ ‘ସାଗର କବଚ’ ସମରାଭ୍ୟାସ

ଛତ୍ରପୁର,(ଓ୍ବାଇଏନଏସ): ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ସମୁଦ୍ରପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ଉପକୂଳରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ’। ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଆୟୋଜିତ ଏହି ସମରାଭ୍ୟାସରେ ଉପକୂଳବର୍ତ୍ତୀ ଅଞ୍ଚଳରେ କଡ଼ା ପହରା ସହ ଉଭୟ ସ୍ଥଳପଥ ଓ ଜଳପଥରେ ଯାଞ୍ଚ ଓ ପାଟ୍ରୋଲିଂ କରାଯାଉଛି। ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନ ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର, ରମ୍ଭା ଓ ଚମାଖଣ୍ଡି ଥାନା ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଯାଞ୍ଚ ଓ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ବିଶେଷକରି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପକ୍ଷରୁ ପ୍ରୟାଗୀଠାରୁ ହରିପୁର ପର୍ଯ୍ୟନ୍ତ ପ୍ରାୟ ୪୦ କିଲୋମିଟର ସମୁଦ୍ର ଉପକୂଳ ଅଞ୍ଚଳରେ ସାମୁଦ୍ରିକ ପାଟ୍ରୋଲିଂ କରାଯାଉଛି। ସମରାଭ୍ୟାସରେ ପୁଲିସ, ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ କୋଷ୍ଟ ଗାର୍ଡର କର୍ମଚାରୀମାନେ ସାମିଲ ହୋଇଛନ୍ତି। ସମୁଦ୍ରତଟ ସମେତ ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ କରାଯାଉଥିବା ବେଳେ ଜଳପଥରେ ମଧ୍ୟ ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯାଉଛି। ସମରାଭ୍ୟାସକୁ ଅଧିକ ବାସ୍ତବଧର୍ମୀ କରିବା ପାଇଁ ‘ବ୍ଲୁ ଟିମ୍’ ଓ ‘ରେଡ୍ ଟିମ୍’ ଭାବେ ଦୁଇଟି ଦଳ ଗଠନ କରାଯାଇଛି। ଏହି ଅବସରରେ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସଚେତନ କରାଯାଇଛି। ସମୁଦ୍ର କିମ୍ବା ଉପକୂଳ ଅଞ୍ଚଳରେ କୌଣସି ଅଜଣା ବ୍ୟକ୍ତି କିମ୍ବା ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ୨୦୦୮ ମସିହାର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ସାମୁଦ୍ରିକ ସୁରକ୍ଷାକୁ ନେଇ ଏଭଳି ମିଳିତ ସମରାଭ୍ୟାସର ଗୁରୁତ୍ୱ ବଢ଼ିଛି। ସମୁଦ୍ରପଥ କିମ୍ବା ସ୍ଥଳପଥ ଦେଇ ଯେକୌଣସି ସନ୍ଦେହଜନକ ଅନୁପ୍ରବେଶକୁ ଚିହ୍ନଟ କରି ତାହାର ମୁକାବିଲା କରିବା ସହ ଉପକୂଳ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି, ସମନ୍ୱୟ ଓ ପ୍ରତିକ୍ରିୟା ବ୍ୟବସ୍ଥାକୁ ପରୀକ୍ଷା କରିବା ଏହି ସମରାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସ୍‌ପି ପ୍ରଭା ଧନ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ବିଭିନ୍ନ ଛକ, ସରକାରୀ କାର୍ଯ୍ୟାଳୟ ସମ୍ମୁଖ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପୁଲିସ ପକ୍ଷରୁ ପଇଁତରା ମାରିବା ସହ କଡ଼ା ନଜର ରଖାଯାଉଥିବା ଦେଖାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ