ଭାସିଆକୁଦ ପୋଲର ଆପ୍ରୋଚ ଧସିଲା ରୋଡ଼, ଯାତାୟାତ ବାଧାପ୍ରାପ୍ତ,
ନାଉଗାଁ (ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଗୋପାଳପୁର-ଭାସିଆକୁଦ ନିକଟ ଗୋବରୀ ନାଳ ଉପରେ ଥିବା ପୋଲର ଦକ୍ଷିଣ ପାର୍ଶ୍ୱ ଆପ୍ରୋଚ ରୋଡ଼ ଧସିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, ୧୯୯୪ ମସିହାରେ ତତ୍କାଳୀନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ରାୟଙ୍କ ସମୟରେ ଏହି ପୋଲ ନିର୍ମାଣ ହୋଇଥିଲା। ପୋଲ ନିର୍ମାଣ ପରେ ନୂଆଗାଁ ଓ ଘୋଡ଼ାଂଶ ପଞ୍ଚାୟତର ବହୁ ଲୋକ ଉପକୃତ ହେଉଥିବା ବେଳେ ନାଉଗାଁ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ମୁଗେଇସ୍ଥିତ କାଳିଦାସ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପୋଲ ଦେଇ ଯାତାୟାତ କରିଥାନ୍ତି। ତେବେ ୩୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଏହି ପୋଲର ନିୟମିତ ରକ୍ଷଣାବେକ୍ଷଣ ହୋଇନଥିବା ଅଭିଯୋଗ ହୋଇଛି। ପୋଲର ସୁରକ୍ଷା ବାଡ଼ ଭାଙ୍ଗିଯାଇ ଲୁହା ରଡ଼ ବାହାରକୁ ଦେଖାଯାଉଥିବା ବେଳେ ଏବେ ଆପ୍ରୋଚ ରୋଡ଼ ମଧ୍ୟ ଧସିଯାଇଛି। ତୁରନ୍ତ ମରାମତି କରାନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ମୃତିରଞ୍ଜନ ସାହୁ, ଆଶିଷ କୁମାର ଦାସ, ରୋହିତ ଦାସ, ମନୀଷ କୁମାର ମଲ୍ଲିକ, ରୋହନ ଦାସ, ଲୋଚନ କୁମାର ମଲ୍ଲିକ ଓ ଜଗନ୍ନାଥ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଜଳ ନିକାସ ବିଭାଗର ଏସ୍ଡିଓ ଇଂ.ସୁମନ ଘୋଷ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖବର ପାଇ ସହକାରୀ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତ ଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରାଯାଇଛି। ପୋଲର ଦକ୍ଷିଣ ପାର୍ଶ୍ୱରେ ଥିବା ସଂଯୋଗୀକରଣ ରାସ୍ତାର ଦିୱାଲ ପାଣି ସ୍ରୋତରେ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ପାଣି ଥିବାରୁ ସ୍ଥାୟୀ ମରାମତି ସମ୍ଭବ ନୁହେଁ। ଅସ୍ଥାୟୀ ଭାବେ ପଟା ଓ ବଲ୍ଲା ପକାଇ ଯାତାୟାତ ବ୍ୟବସ୍ଥା କରାଯିବ। ପାଣି କମିବା ପରେ ଉଭୟ ପାର୍ଶ୍ୱରେ ଗାର୍ଡୱାଲ ନିର୍ମାଣ କରି ସ୍ଥାୟୀ ପ୍ରତିକାର କରାଯିବ ବୋଲି ସେ କହିଛନ୍ତି।


