ଶାରୀରିକ ମାନସିକ ନିର୍ଯାତନା ଦେଉଥିବା ପୋଲିସ ସ୍ୱାମୀ ଗିରଫ
ବନ୍ତ, (ଚାନ୍ଦିନୀ ମହାନ୍ତି): ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗରେ ଭଦ୍ରକ ଜିଲା ବନ୍ତ ଥାନା ପୋଲିସ ପୋଲିସ ସ୍ୱାମୀଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଗିରଫ ସ୍ୱାମୀ ଜଣକ ହେଲେ ବନ୍ତ ଥାନା ଅଧିନ ଶାଳକଣିଆ ଗ୍ରାମର ନିରାକାର ଜେନା । ଅଭିଯୋଗ ଅନୁଯାୟୀ, ଗତ ୨୦୨୫ ମସିହା ଜୁଲାଇ ୧୧ରେ ବନ୍ତ ଥାନା ଅଧୀନ ସରମରା ଗ୍ରାମର ମହେଶ୍ୱତା ଦାସଙ୍କ ସହ ଶାଳକଣିଆ ଗ୍ରାମର ନିରାକାର ଜେନାଙ୍କ ବିବାହ ବୈଦିକ ମତେ ସର୍ବସମ୍ମତରେ ସମ୍ପନ୍ନ ହୋଇଥିଲା । ବିବାହର କିଛି ଦିନ ପରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ, ଅଶ୍ଳୀଳ ଫଟୋ, ଭିଡିଓ ରଖିବା ଓ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା । ସ୍ତ୍ରୀ ମହେଶ୍ୱତା ଏହାର ପ୍ରତିବାଦ କରିବାରୁ ସ୍ୱାମୀ ନିରାକାର ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ମାରପିଟ୍, ଗାଳିଗୁଲଜ କରିବା ସହ ଅପ୍ରାକୃତିକ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଗର୍ଭବତୀ ଥିବା ସମୟରେ ଜୋରଜବରଦସ୍ତ ଔଷଧ ଖୁଆଇ ଗର୍ଭପାତ କରାଇବା ଏବଂ ଏହାର ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦିଆଯାଉଥିଲା । ଏହି କାର୍ଯ୍ୟରେ ମଝିଆ ଦେଢ଼ଶୁର ଓ ନଣଦେଇ ମଧ୍ୟ ସହଯୋଗ କରୁଥିବା ଏବଂ ମାନସିକ ଶୋଷଣ କରୁଥିବା ନେଇ ପୀଡ଼ିତା ଗତ ଅଗଷ୍ଟ ୧୧ରେ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ୨୪୬/୨୬ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସୋମବାର ପୋଲିସ ଅଭିଯୁକ୍ତ ସ୍ୱାମୀ ନିରାକାର ଜେନାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ଜଣାଯାଇଛି।


