ମୁଖ୍ୟମନ୍ତ୍ରୀ ବସ୍ ସେବାର ବିଚିତ୍ର ବ୍ୟବସ୍ଥା: ଯୁକ୍ତ ଦୁଇ ପିଲାଙ୍କୁ ମାଗଣା କିନ୍ତୁ ଯୁକ୍ତ ତିନି ବିଦ୍ୟାର୍ଥୀ ଦେଉଛନ୍ତି ଟଙ୍କା
ଆସିକା (ୱାଇଏନ୍ଏସ୍) : ମୁଖ୍ୟମନ୍ତ୍ରୀ ବସ୍ ସେବା କଲେଜ ଛାତ୍ରଛାତ୍ରୀଙ୍କ ଭଡାକୁ ନେଇ ଲାଗି ରହିଥିବା ଅସମାନତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ବସ୍ ସେବାରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପାଠ ପଢୁଥିବା ପିଲାଙ୍କୁ ବସ୍ଭଡା ସଂପୁର୍ଣ୍ଣ ଛାଡ କରାଯାଉଥିବା ଜଣାପଡିଛି । ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶ୍ରେଣୀରେ ପାଠ ପଢୁଥିବା ବିଦ୍ୟାର୍ଥୀମାନେ ମୁଖ୍ୟମନ୍ତ୍ରୀ ବସ୍ରେ ପରିଚୟ ପତ୍ର ଦେଖାଇ ସଂପୁର୍ଣ୍ଣ ମାଗଣାରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ଯୁକ୍ତ ତିନି ଶ୍ରେଣୀରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଟଙ୍କା ଦେଇ ଯିବା ଆସିବା କରୁଥିବା ଘଟଣାକୁ ସାଧାରଣରେ ନାପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଯୁକ୍ତ ତିନି ପାଠ୍ୟକ୍ରମରେ ପାଠ ପଢୁଥିବା ବିଦ୍ୟାର୍ଥୀମାନେ ପରିଚୟ ପତ୍ର ଦେଖାଇ ଟିକଟ ମୂଲ୍ୟର ୫୦ ପ୍ରତିଶତ ଅର୍ଥ ଦାଖଲ କରି ଯିବା ଆସିବା କରୁଥିବା ଜଣାପଡିଛି । ଯୁକ୍ତ ଦୁଇ ପିଲାଙ୍କ ପରି ଯୁକ୍ତ ତିନି ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ବସ୍ରେ ସଂପୁର୍ଣ୍ଣ ଭାବେ ମାଗଣାରେ ଯାତାୟତ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରସଂସଦର ପୂର୍ବତନ ସଭାପତି ରବିନ୍ଦ୍ରନାଥ ପୋଲାଇ ଅନୁରୋଧ କରିଛନ୍ତି । ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଆସିକା ବସ୍ଷ୍ଟାଣ୍ଡରୁ ଦୈନିକ ୬ଟି ମୁଖ୍ୟମନ୍ତ୍ରୀ ବସ୍ ବ୍ଳକ ପରିସରଭୁକ୍ତ ଆଲିପୁର, ବାବନପୁର, ବଡଖୋଲି, ବାଲିଛାଇ, ବାଲିସିରା, ବାଙ୍ଗରଡା, ବରଗାଁ, ବେଣାପାଟ, ଭେଟନଇ, ଚଢେୟାପଲ୍ଲୀ, ଦେବଭୂମୀ, ଗହଙ୍ଗୁ, ଗଙ୍ଗାପୁର, ଗୁଣ୍ଠପଡା, ହରିଡାପଦର, ଜୟପୁର, କାଳଷଣ୍ଢପୁର, କମାଗଡ, କେନ୍ଦୁପଦର, ଖଣ୍ଡଦେଉଳୀ, ଖାରିଆ, ମଙ୍ଗଳପୁର, ମୁନିଗାଡି, ନଳବଣ୍ଟା, ନିମିନା, ପାଣ୍ଡିଆପଥର, ସିଦ୍ଧନଇ ଗ୍ରାମ ପଞ୍ଚାୟତ ଗୁଡିକୁ ସମୟ ନିର୍ଘଣ୍ଟ ଅନୁଯାୟୀ ଯାତାୟତ କରୁଥିଲା ବେଳେ ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ବସ୍ରେ ସୁଲଭ ମୂଲ୍ୟରେ ନିଜ ନିଜ ଅଧ୍ୟୟନସ୍ଥଳକୁ ଯାଉଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ବସ୍ରେ ଯୁକ୍ତ ଦୁଇରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ମାଗଣାରେ ଯାତାୟତ କରୁଥିଲା ବେଳେ ଯୁକ୍ତ ତିନିରେ ପାଠ ପଢୁଥିବା ବିଦ୍ୟାର୍ଥୀମାନେ କିଲୋମିଟର ପିଛା ୯୨ ପଇସା (ପରିଚୟ ପତ୍ର ଦେଖାଇଲେ ୫୦ ପ୍ରତିଶତ ଛାଡ)ରେ ଯିବା ଆସିବା କରୁଥିବା ଜଣାପଡିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଯୁକ୍ତ ତିନି ଶ୍ରେଣୀରେ ପାଠ ପଢୁଥିବା ବିଦ୍ୟାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ବସ୍ରେ ମାଗଣାରେ ଯିବା ଆସିବା କରିବା ଦିଗରେ ସୁବିଧା ଦେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି।


