ଅସ୍ତିତ୍ୱ ହରାଇବାକୁ ବସିଛି ଆସିକା ସହରର ଅତି ପୁରାତନ ରଙ୍କିବନ୍ଧ
ଆସିକା(ୱାଇଏନ୍ଏସ୍) : ସ୍ୱାୟତ୍ତ ଶାସନ ବ୍ୟବସ୍ଥା ମାଧ୍ୟମରେ ସହରାଞ୍ଚଳ ଗୁଡିକର ସର୍ବାଙ୍ଗୀନ ବିକାଶ ଲାଗି ସରକାର ବିଭିନ୍ନ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଯୋଗାଇ ଦେଉଥିଲେ ମଧ୍ୟ ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ତାହା କେତେକାଂଶରେ ବାଟବଣା ହୋଇଯାଉଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଦିନ ଥିଲା ଆସିକା ସହରର କେତେକ ଅଞ୍ଚଳରେ ବହୁ ଜଳାଶୟ, ପୋଖରୀ ଦେଖିବାକୁ ମିଳୁଥିଲା । ବିଗତ କିଛି ବର୍ଷ ହେଲା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବହୁ ଐତିହାସିକ ପୋଖରୀ ବିଲୁପ୍ତ ହେବାକୁ ବସିଲାଣି । ସେଥି ମଧ୍ୟରୁ ଆସିକା ପୌର ପରିଷଦ ଅଧୀନସ୍ଥ ୭ ନମ୍ବର ୱାର୍ଡର ତିରୁପତି ମନ୍ଦିର ନିକଟରେ ଥିବା ରଙ୍କିବନ୍ଧ ଅନ୍ୟତମ ବୋଲି ଚର୍ଚ୍ଚା ହେଉଛି । ଅତୀତରେ ରଙ୍କିବନ୍ଧ ପୋଖରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନରେଖା ପାଲଟିଥିଲା । ଜନସାଧାରଣ ଏହି ରଙ୍କିବନ୍ଧ ପୋଖରୀର ପାଣିକୁ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ ମାଙ୍ଗଳିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ପିଇବା ଓ ଶୌଚ ପାଇଁ ମଧ୍ୟ ବ୍ୟବହାର କରୁଥିଲେ । ସବୁଠାରୁ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିକି ଯେ ଏହି ସର୍ବପୁରାତନ ଐତିହାସିକ ରଙ୍କିବନ୍ଧ ପୋଖରୀରେ ଦୀର୍ଘ ବର୍ଷ ତଳେ ଚନ୍ଦନ ଯାତ୍ରା ସମୟରେ ପ୍ରଭୂ ତିରୁପତିଙ୍କୁ ମନ୍ଦିରରୁ ସୁସଜ୍ଜିତ ଶବାରୀରେ ନିଆଯାଇ ଚାପଖେଳ ଅନୁଷ୍ଠିତ ହେଉଥିଲା ବେଳେ ପୋଖରୀର ଚତୁଃପାଶ୍ୱର୍ରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଏହି ଦେବଦୁର୍ଲଭ ଦୃଶ୍ୟକୁ ମନଭରି ଉପଭୋଗ କରୁଥିଲେ । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଏହି ପୁରାତନ ରଙ୍କିବନ୍ଧ ପୋଖରୀର ଅବସ୍ଥା ଉପଯୁକ୍ତ ରକ୍ଷଣାବେକ୍ଷଣରୁ ଶୋଚନୀୟ ହେବା ସହ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ପୌର ପରିିଷଦ ଅଧୀନସ୍ଥ ୭ ନମ୍ବର ୱାର୍ଡର ତିରୁପତି ମନ୍ଦିର ନିକଟରେ ଥିବା ରଙ୍କିବନ୍ଧ ପୋଖରୀର ପାଣି ପ୍ରଦୁଷିତ ହେବା ସହ ଦଳରେ ଭର୍ତ୍ତି ହୋଇରହିଛି । ପୋଖରୀରୁ ଦୁର୍ଗନ୍ଧ ବାହାରିବା ସହ ଏହି ଐତିହାସିକ ପୋଖରୀ ନିଜର ସତ୍ତା ହରାଇବାକୁ ବସିଥିବା ବେଳେ ପୌର ପରିଷଦ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ପୁôନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ଦିଗରେ ପଦକ୍ଷେପ ନେବାକୁ ଦୃଢ ମତ ପ୍ରକାଶ ପାଉଛି । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୯ ଲକ୍ଷ ୭୮ ହଜାର ୬୦୦ ଟଙ୍କା ବ୍ୟୟ ଅଟକଳରେ ରଙ୍କିବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଗତ ଜୁଲାଇ ମାସ ୧୯ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହୋଇଛି ବୋଲି ସୂଚନା ଫଳକ ଲଗାଯାଇଥିଲା ବେଳେ ଉକ୍ତ କାର୍ଯ୍ୟ କେଉଁଠାରେ ହୋଇଛି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିବା ଦେଖିବାକୁ ମିଳୁଛି । ରଙ୍କିବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ନାନା ପ୍ରକାର ଅନିୟମିତତା ପନ୍ଥା ଅବଲମ୍ବନ କରାଯାଇଛି ବୋଲିି ଅଭିଯୋଗ କରି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଇନଜୀବୀ ନଚିକେତା ସ୍ୱାଇଁ, ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ଜିତେନ୍ଦ୍ର କୁମାର ମହାରଣା ଓ ଶିବପ୍ରସାଦ ଶତପଥୀଙ୍କ ବହୁ ସଚେତନ ନାଗରିକ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟକୁ ପଠାଇବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ଆସିକା ରଙ୍କିବନ୍ଧ ପୋଖରୀର କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନଥିବା ଅଭିଯୋଗ ବି ହେଉଛି । ଆସିକା ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର କେତେକ ଜଳାଶ୍ରୟ ଗୁଡିକର ପୁନରୁଦ୍ଧାର, ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଠପ୍ ହୋଇପଡିଥିବା ବେଳେ ଏହି ଘଟଣାକୁ ନେଇ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ରାଜ୍ୟ ସରକାର ତଥା ôଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଆସିକା ସହରର ଐତିହାସିକ ତଥା ଅତି ପୁରାତନ ରଙ୍କିବନ୍ଧ ପୋଖରୀରୁ ଦଳ ଓ ଆବର୍ଜନା ସଫା କରି ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ସାଙ୍ଗକୁ ପୁନରୁଦ୍ଧାର ନାମରେ ଅନିୟମିତା ଅଭିଯୋଗର ସତ୍ୟାସତ୍ୟ ଉନ୍ମୋଚନ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


