ବିଶ୍ୱାସ ଓ ସମ୍ମାନ ନଥିଲେ ବିବାହର ପବିତ୍ରତା ରକ୍ଷା ସମ୍ଭବ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ, (ଓ୍ବାଇଏନଏସ): ବିବାହ କେବଳ ଏକ ଆଇନଗତ ବନ୍ଧନ ନୁହେଁ; ଏହାର ମୂଳ ଆଧାର ହେଉଛି ପରସ୍ପର ସମ୍ମାନ, ବିଶ୍ୱାସ ଓ ସାଥୀ ଭାବନା। ଯଦି ଦାମ୍ପତ୍ୟ ସମ୍ପର୍କର ଏହି ମୌଳିକ ଭିତ୍ତି ଗଭୀର ଭାବେ ଦୁର୍ବଳ ହୋଇପଡ଼େ, ତେବେ କେବଳ ବିବାହର ଆଇନଗତ ସ୍ଥିତିକୁ ଅବ୍ୟାହତ ରଖିବା ଦ୍ୱାରା ଏହାର ପବିତ୍ରତା ସୁରକ୍ଷିତ ହୋଇପାରିବ ନାହିଁ। ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟଗଡ଼ା ପରିବାର ଅଦାଲତଙ୍କ ରାୟକୁ ବଜାୟ ରଖିବା ସହ ସ୍ୱାମୀଙ୍କ ପକ୍ଷରୁ ଦାୟର ଅପିଲକୁ ଖାରଜ କରିଛନ୍ତି।୨୦୨୪ ଜାନୁଆରି ୨୭ରେ ପରିବାର ଅଦାଲତ ଦେଇଥିବା ରାୟ ଅନୁଯାୟୀ ଦମ୍ପତିଙ୍କ ବିବାହକୁ ବିଚ୍ଛିନ୍ନ କରାଯାଇଥିଲା।ମାମଲାରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ଦମ୍ପତି ୨୦୨୧ ଅକ୍ଟୋବର ୨୦ରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ଉଭୟେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ ଥିଲେ। ବିବାହ ପରେ ଦାମ୍ପତ୍ୟ ଜୀବନରେ ବିଭିନ୍ନ କାରଣରୁ ବିବାଦ ଦେଖାଦେଇଥିଲା। ପରେ ୨୦୨୩ରେ ପତ୍ନୀ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ।ସ୍ୱାମୀଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣି ସେ ରାୟଗଡ଼ା ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।ମାମଲାର ଶୁଣାଣି ପରେ ପରିବାର ଅଦାଲତ ପତ୍ନୀଙ୍କ ଅଭିଯୋଗକୁ ବିଚାରକୁ ନେଇ ବିବାହ ବିଚ୍ଛେଦ ପାଇଁ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସ୍ୱାମୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅପିଲର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ବିବାହର ଏକ ସାମାଜିକ ଓ ପବିତ୍ର ମର୍ଯ୍ୟାଦା ରହିଛି। ତେଣୁ ସାଧାରଣତଃ ଅଦାଲତ ଏହି ସମ୍ପର୍କକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଯେତେବେଳେ ସମ୍ପର୍କର ମୂଳ ଭିତ୍ତି—ବିଶ୍ୱାସ, ସମ୍ମାନ ଓ ସାଥୀ ଭାବନା—ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଯାଏ, ସେତେବେଳେ କେବଳ ଆଇନଗତ ବନ୍ଧନକୁ ଜାରି ରଖିବା ଦ୍ୱାରା ବିବାହର ପବିତ୍ରତା ରକ୍ଷା କରାଯାଇପାରିବ ନାହିଁ। ଏହି ଆଧାରରେ ଖଣ୍ଡପୀଠ ରାୟଗଡ଼ା ପରିବାର ଅଦାଲତଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ସ୍ୱାମୀଙ୍କ ଅପିଲକୁ ଖାରଜ କରିଛନ୍ତି। ଏହି ରାୟ ଦାମ୍ପତ୍ୟ ସମ୍ପର୍କରେ କେବଳ ଆଇନଗତ ବନ୍ଧନ ନୁହେଁ, ବରଂ ପରସ୍ପର ବିଶ୍ୱାସ, ସମ୍ମାନ ଓ ସହଭାଗିତାର ଗୁରୁତ୍ୱକୁ ପୁଣିଥରେ ସ୍ପଷ୍ଟ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ