ଛାତ୍ର ସଂସଦ ନିର୍ବାଚନ ଓ ପାର୍ବଣ ଋତୁ ପାଇଁ ପୁଲିସର କଡ଼ା ପ୍ରସ୍ତୁତି

କଟକ(ଓ୍ବାଇଏନଏସ):  ଆଗାମୀ ଛାତ୍ର ସଂସଦ ନିର୍ବାଚନ, ପାର୍ବଣ ଋତୁରେ ଆଇନଶୃଙ୍ଖଳା ରକ୍ଷା, ମହିଳା ସୁରକ୍ଷା, ସାଇବର ଅପରାଧ ଦମନ ଓ ନିଶା କାରବାର ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରିବା ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଡିଜିପି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଏବଂ ଜିଲ୍ଲାର ଏସ୍‌ପିମାନେ ଯୋଗଦେଇଥିଲେ। ବିଶେଷକରି ଆଗାମୀ ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ହିଂସାମୁକ୍ତ ଭାବେ ସମ୍ପନ୍ନ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀମାନେ ଏକ ସମ୍ବେଦନଶୀଳ ବର୍ଗ ହୋଇଥିବାରୁ ସେମାନଙ୍କ ସହ ପୁଲିସର ନିୟମିତ ଓ ପ୍ରତ୍ୟକ୍ଷ ଯୋଗାଯୋଗ ରହିବା ଆବଶ୍ୟକ ବୋଲି ଡିଜିପି କହିଥିଲେ। ଥାନା ଅଧିକାରୀ ଓ ଏସ୍‌ଡିପିଓମାନେ ଛାତ୍ର ନେତାମାନଙ୍କ ସହ ବୈଠକ କରି ନିର୍ବାଚନ ପୂର୍ବରୁ ଆବଶ୍ୟକ ସମନ୍ୱୟ ସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କଲେଜ ପରିସରକୁ ଅଣଛାତ୍ର ଓ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ରୋକିବା ସହ ଛାତ୍ରାବାସ ଓ ମେସ୍‌ଗୁଡ଼ିକ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି।ହିଂସାର ଆଶଙ୍କା ନଥିବା ସ୍ଥାନରେ ଅନାବଶ୍ୟକ ଭାବେ ପୁଲିସ ବଳ ମୁତୟନ ନକରିବାକୁ ଡିଜିପି ପରାମର୍ଶ ଦେଇଥିବା ବେଳେ ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ ବିଶେଷ ନଜର ରଖିବାକୁ କହିଛନ୍ତି। ଛାତ୍ରଛାତ୍ରୀଙ୍କ ଭୋଜିଭାତ ଓ ଅନ୍ୟାନ୍ୟ ଆୟୋଜନ ସମୟରେ ମଧ୍ୟ ଆଇନଶୃଙ୍ଖଳା ଯେପରି ବିଗିଡ଼ିବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ ସମୟରେ ପ୍ରଶାସନ ଓ ପୁଲିସ ମଧ୍ୟରେ ସମନ୍ୱୟ ବଜାୟ ରଖିବା ପାଇଁ ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ ଓ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ବୈଠକରେ ସାଇବର ଅପରାଧ ଦମନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସାଇବର ଥାନାଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ସହ ମାମଲାର ତଦନ୍ତ ଓ ଆଇନଗତ ପଦକ୍ଷେପକୁ ଅଧିକ ଫଳପ୍ରଦ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ମହିଳା ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଡିଜିପି ଜିଲ୍ଲା ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବେଦନଶୀଳ ମାମଲାରେ ତ୍ୱରିତ, ନିରପେକ୍ଷ ଓ ପ୍ରଭାବଶାଳୀ ତଦନ୍ତ ସୁନିଶ୍ଚିତ କରିବା ସହ ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସେ କହିଥିଲେ। ନିକଟରେ ଭୁବନେଶ୍ୱରରେ ଘଟିଥିବା ଯୁବତୀଙ୍କ ବିରୋଧରେ ଅପରାଧିକ ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟବ୍ୟାପୀ ମହିଳା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ମଧ୍ୟ କୁହାଯାଇଛି। ଅପରାଧ ନିୟନ୍ତ୍ରଣ ପାଇଁ ଅଭ୍ୟାସଗତ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ, ଏନ୍‌ଡିପିଏସ୍‌ ଆଇନର କଡ଼ା କାର୍ଯ୍ୟାନ୍ୱୟନ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ନିୟମିତ ଚଢ଼ାଉ ଓ ଯାଞ୍ଚକୁ ତ୍ୱରାନ୍ୱିତ କରିବାକୁ ଡିଜିପି କହିଥିଲେ। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’କୁ ଆହୁରି ସଶକ୍ତ କରି ନିଶାଦ୍ରବ୍ୟର ଚୋରାଚାଲାଣ ଓ ଅପରାଧିକ ନେଟୱର୍କ ଉପରେ ଆଘାତ ହାଣିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଡିପିଏସ୍‌ ଆଇନ ଅଧୀନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏଥିସହ ନୂତନ ଅପରାଧ ଆଇନର ସଫଳ କାର୍ଯ୍ୟକାରିତା, ପୁଲିସ ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଏଡିଜିପି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି ଅରୁଣ ବୋଥ୍ରା, ପୁଲିସ କମିସନର ଡଃ ଏସ୍‌. ଦେବଦତ୍ତ ସିଂ, ଏଡିଜିପି ରାଜେଶ କୁମାର, ଏଡିଜିପି ପ୍ରତୀକ ମହାନ୍ତି, ଏଡିଜିପି ୟତୀନ୍ଦ୍ର କୋଏଲ, ଆଇଜିପି ହିମାଂଶୁ ଲାଲ, ଆଇଜିପି ସତ୍ୟବ୍ରତ ଭୋଇ, ଏସ୍‌ସିଆରବି ନିର୍ଦ୍ଦେଶକ ଅବିନାଶ କୁମାର, ଆଇଜିପି ଡଃ ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଓ ଜିଲ୍ଲା ଏସ୍‌ପିମାନେ ଭିଡିଓ କନ୍‌ଫରେନ୍ସିଂରେ ଯୋଗଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ