ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଗତ ମଙ୍ଗଳବାର ଠାରୁ ୨ ଦିନ ବ୍ୟାପୀ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ୍ – ଡି ଆନ୍ତଃ ବାଳିକା କବାଡ଼ି ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି। ପାଟପୁର ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍ ରେ ଗଜପତି ଜିଲା ରାମଗିରି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିପକ୍ଷ ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ  ୩୨–୧୪ ପଏଣ୍ଟ ବ୍ୟବଧାନରେ ପରାଜିତ କରି ହୋଇ ଜୋନ୍-ଡି ବାଳିକା କବାଡ଼ିରେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଉଦଯାପନୀ ଉତ୍ସବରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ପାଟପୁର ଥାନାର ଉପନିରୀକ୍ଷକ ଏସ.କେ ଇମାଦାଦ ତରଫଦାର୍, ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ଵିନୀ କୁମାର ରଥ, କ୍ରୀଡ଼ା ଉପସଭାପତି ତଥା ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଏବଂ ଷ୍ଟାଫ୍ କାଉନସିଲ୍ ସମ୍ପାଦକ ତଥା ଅଧ୍ୟାପକ ଡ଼. କୈଳାସ ଚନ୍ଦ୍ର ସ୍ୱାଇଁ ଅତିଥି ଭାବେ ଯୋଗଦେଇ  ବିଜୟୀ ଟିମ୍ କୁ ପୁରସ୍କୃତ କରିଥିଲେ। ରାଜା ସିଂ, ମାଧବ ଖୁଣ୍ଟିଆ, ସମର କେଶରୀ ହାଜିରା ଏବଂ ରେଫେରି ଅନିଲ କୁମାର ସ୍ୱାଇଁ , ପ୍ରଦୀପ କୁମାର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ଶ୍ରୀକାନ୍ତ ଜେନା, ପୀତବାସ ସୁଆଁସିଆ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଦକ୍ଷିଣ ଓଡ଼ିଶା ଜୋନ – ଡି ଅଧିନ ୧୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୭ ମାଧ୍ୟମିକ ବିଦ୍ୟାଳୟ ର ବାଳିକା କବାଡି ଟିମ୍ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଶୁକ୍ରବାର ଠାରୁ ୨ ଦିନ ବ୍ୟାପୀ ସୁନ୍ଦରଗଡ଼ ଜିଲା ରାଉରକେଲା ମ୍ୟୁନିସପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବାଳିକା କବାଡି ପ୍ରତିଯୋଗିତା ରେ ସମୁଦାୟ ୧୨ ଟି ଜୋନ୍ ର ବିଜୟୀ ଟିମ୍ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ