ଅନ୍ତେବାସୀଙ୍କ ପ୍ରତିଭା ବିକାଶର ମଞ୍ଚ ‘ଉତ୍ସାହ ଓ ମହକ-୨୦୨୬’ ଉଦ୍‌ଯାପିତ

କଟକ, (ଓ୍ବାଇଏନଏସ): ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ସହ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ ଉଦ୍‌ଯାପିତ ହୋଇଛି। ଦୁଇଦିନ ଧରି ଚାଲିଥିବା ଏହି ଆୟୋଜନରେ କଟକ ଜିଲ୍ଲାର ୧୩ଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଉଦ୍‌ଯାପନୀ ସମାରୋହରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମାରୋହରେ ଯୋଗଦେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହିଥିଲେ ଯେ, ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ପିଲାମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଅଭିଭାବକ ଭାବେ କାର୍ଯ୍ୟ କରୁଛି। ପ୍ରତ୍ୟେକ ପିଲା ନିଜର ରୁଚି ଓ ଦକ୍ଷତାକୁ ଚିହ୍ନି ସେହି ଅନୁସାରେ ଆଗକୁ ବଢ଼ିବା ଉଚିତ। ସେମାନଙ୍କ ଭବିଷ୍ୟତ ଗଠନ ଓ ପ୍ରତିଭାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। କୌଣସି ସମସ୍ୟା ଦେଖାଦେଲେ ନିର୍ଭୟରେ ପ୍ରଶାସନକୁ ଜଣାଇବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାଠପଢ଼ା ସହ ଖେଳକୁଦ ଓ ସୃଜନଶୀଳତାକୁ ଗୁରୁତ୍ୱ ଦିଆଯାଇଥିଲା। ବକ୍ତୃତା, ପ୍ରବନ୍ଧ ଲିଖନ, ଫୁଟବଲ୍‌, କ୍ୟାରମ୍‌, ଲଙ୍ଗ ଜମ୍ପ ଓ ହାଇ ଜମ୍ପ ଭଳି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ଜିଲ୍ଲାସ୍ତରରେ ଉତ୍କର୍ଷ ପ୍ରଦର୍ଶନ କରି ମନୋନୀତ ହୋଇଥିବା ପ୍ରତିଯୋଗୀମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଟକ ଜିଲ୍ଲା ପକ୍ଷରୁ ଅଂଶଗ୍ରହଣ କରିବେ। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଉଦ୍‌ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର, ଡେପୁଟି କଲେକ୍ଟର ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶତରୂପା ଶତପଥୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦିନୀ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ