ମା’ ବୁଢ଼ୀ ଠାକୁରାଣୀଙ୍କ ଷଷ୍ଠୀ ପୂଜା ମହା ସମାରୋହରେ ପାଳିତ
ଛତ୍ରପୁର, (ଓ୍ବାଇଏନଏସ): ନବରାତ୍ର କୁ ନେଇ ବିଭିନ୍ନ ଶକ୍ତି ପୀଠ ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲା ସଦର ମହକୁମା ମଧ୍ୟ ଏଥିରୁ ବାଦ ପଡିନି l ମା ଜଗତ ଜନନୀ କୃପା ମୟୀ ଙ୍କ ନବରାତ୍ର ପୂଜା ଲାଗି ସହରର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇ ପଡିଛି l ସ୍ଥାନେ ସ୍ଥାନେ ଆଲୋକ ମାଳା ସହିତ ପୂଜା ମନ୍ତ୍ର ର ଧ୍ୱନି ସାରା ପରିବେଶ କୁ ପ୍ରକମ୍ପିତ କରିଛି l ଚନ୍ଦନ, ସିନ୍ଦୁର ଝୁଣା ଦୀପ ର ସୁଗନ୍ଧ ଅଞ୍ଚଳ ବାସୀଙ୍କୁ ବେଶ ଆକୃଷ୍ଠ କରିଛି l ସେପଟେ କାଶତଣ୍ଡୀ ଫୁଲ ମଧ୍ୟ ଶୁଭ୍ର ରଙ୍ଗର ବାହୁ ମେଲାଇ ମା ଙ୍କ ଆଗମନ କୁ ସ୍ୱାଗତ କରୁଛି l ଏସବୁ ଭିତରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ରିକାପଲ୍ଲୀ ଭଣ୍ଡାରୀ ସାହି ସ୍ଥିତ ଡାଲଡାମିଲ ରୋଡ୍ ଠାରେ ଥିବା କଳ୍ପବାସିନୀ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ମଧ୍ୟ ମା ଙ୍କ ନବରାତ୍ରୀ ପୂଜା ବେଶ ଧୁମଧାମରେ ଚାଲିଥିବା ଦେଖିବାକୁ ମିଳିଛି l ପୂଜା କମିଟି ପକ୍ଷରୁ ରୀତିନୀତି ଅନୁଯାୟୀ ମା’ଙ୍କ ବିଭିନ୍ନ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପୁରୋହିତ ମନୋଜ କୁମାର ଶତପଥୀ ଓ ବନୋଜ କୁମାର ଶତପଥୀ ଙ୍କ ପୌରହିତରେ ମା ଙ୍କ ରୀତି ନୀତି ଅନୁଯାୟୀ ପୂଜାର୍ଚନା କରାଯାଉଛି l ଶୁକ୍ରବାର ଯୁବ ସମାଜସେବୀ ଦୀପକ କୁମାର ମୁଦୁଲି କର୍ତ୍ତା ଭାବେ ପରିବାର ସହ ଉପସ୍ଥିତ ରହି ମା’ଙ୍କ ଷଷ୍ଠୀ ପୂଜାକୁ ମହାଆଡ଼ମ୍ବରରେ ସମ୍ପନ୍ନ କରିଥିଲେ। ଏହି ଅବସରରେ ହୋମ, ଆଳତି ସମେତ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ପୂଜା ଅବସରରେ ମା’ଙ୍କ ରାତ୍ରି ପ୍ରସାଦ ସେବନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ଶ୍ରଦ୍ଧାର ସହ ପ୍ରସାଦ ସେବନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପୂଜା କମିଟି, ସାହିବାସିନ୍ଦା ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହଯୋଗରେ ସୁଚାରୁରୂପେ ପରିଚାଳନା କରାଯାଇଥିଲା।


