ପୂଜା ଆୟୋଜନକୁ ଅନୁମତି, ରାସ୍ତା ଅବରୋଧ ଉପରେ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ

କଟକ (ଓ୍ବାଇଏନଏସ): ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ପାଳନ ନାଗରିକଙ୍କ ଅଧିକାର। ତେବେ ଏହାର ଆୟୋଜନ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ ଏବଂ ଜରୁରିକାଳୀନ ସେବା ପ୍ରଭାବିତ ହେବା ଉଚିତ ନୁହେଁ।ପୂଜା ପାର୍ବଣ ସମୟରେ ମଣ୍ଡପ ନିର୍ମାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ଦେବା ସହ ରାସ୍ତା ଅବରୋଧ ନକରିବାକୁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦଶହରା ପୂର୍ବରୁ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।ପାର୍ବଣ ଆୟୋଜନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପରିବର୍ତ୍ତେ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଅଦାଲତ କହିଛନ୍ତି।ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ପୂଜା ମଣ୍ଡପ କିମ୍ବା ତୋରଣ ନିର୍ମାଣ ସମୟରେ ଯାତାୟାତ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଖାଲି ରଖିବାକୁ ହେବ। ଲୋକେ ଯେପରି ନିଜ ଘରକୁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏବଂ ଆମ୍ବୁଲାନ୍ସ ସମେତ ଜରୁରିକାଳୀନ ସେବାର ଚଳାଚଳ ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଆୟୋଜକ ଓ ପ୍ରଶାସନ ସତର୍କ ରହିବା ଆବଶ୍ୟକ।ଏଥିସହ ମଣ୍ଡପ ଓ ତୋରଣର ଉଚ୍ଚତା ନିର୍ଦ୍ଧାରିତ ଆଇନଗତ ସୀମା ମଧ୍ୟରେ ରଖିବା ସହ ଲାଉଡ୍‌ସ୍ପିକରର ଶବ୍ଦ ନିୟନ୍ତ୍ରଣ ନିୟମକୁ ମଧ୍ୟ ପାଳନ କରିବାକୁ ହେବ। ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳର ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ଶରତ କୁମାର ଗଜେନ୍ଦ୍ର ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବାସଭବନ ନିକଟରେ ଗଣେଶ ପୂଜା ଓ ଦଶହରା ସମୟରେ ମଣ୍ଡପ ନିର୍ମାଣ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉ ଥିବାରୁ ସନ୍ଧ୍ୟା ୭ଟାରୁ ପରଦିନ ସକାଳ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହୁଥିଲା। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟାତ ସହ ଆମ୍ବୁଲାନ୍ସ ସେବା ମଧ୍ୟ ପ୍ରଭାବିତ ହେଉଥିବା ସେ ଦର୍ଶାଇଥିଲେ। ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ସତ୍ୟପାଠ ଦାଖଲ କରିଥିଲେ। ସେଥିରେ ଓଡ଼ିଶା ଅର୍ବାନ ପୋଲିସ ଆଇନ, ୨୦୦୩ର ଧାରା ୨୯ ଓ ୩୦ ଅନୁଯାୟୀ, ଶୋଭାଯାତ୍ରା, ଜନସମାଗମ, ଲାଉଡ୍‌ସ୍ପିକରର ଶବ୍ଦ ଏବଂ ଟ୍ରାଫିକ୍‌ ପରିଚାଳନାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କର୍ତ୍ତୃପକ୍ଷଙ୍କର ଆଇନଗତ କ୍ଷମତା ରହିଥିବା ଉଲ୍ଲେଖ କରାଯାଇଥିଲା। ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବା ପରିବର୍ତ୍ତେ ଜନସୁରକ୍ଷା, ଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସ୍ୱାଧୀନ ଯାତାୟାତକୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେବାକୁ ହାଇକୋର୍ଟ କହିଛନ୍ତି। ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିବା ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇ ଖଣ୍ଡପୀଠ ମାମଲାର ଫଇସଲା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ