୬୭ତମ ଓଡିଶା ପୁଲିସ ଶହୀଦ ସ୍ମୃତି ଦିବସ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଛତ୍ରପୁର ରିଜର୍ଭ ପୁଲିସ ପଡ଼ିଆରେ ୬୭ତମ ଓଡିଶା ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏସ୍ପି ହରିଶ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ସ୍ମୃତି ସ୍ମାରକରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ପୁଲିସ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଏସ୍ପି ଶହୀଦ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ। ୧୯୫୯ ମସିହା ଅକ୍ଟୋବର ୨୧ରେ ଲଦାଖର ହଟ୍ସ୍ପ୍ରିଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଚୀନ୍ ସୈନ୍ୟଙ୍କ ସହ ମୁକାବିଲା କରି ୧୦ ଜଣ ଭାରତୀୟ ପୁଲିସ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧ରେ ପୁଲିସ ଶହୀଦ ଦିବସ ପାଳନ କରାଯାଉଛି। ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରାଯାଇଥିଲା। ଦେଶର ସୁରକ୍ଷା ଓ ଜନସାଧାରଣଙ୍କ ସେବା କରିବା ସମୟରେ ପ୍ରାଣବଳି ଦେଇଥିବା ୧୫୪ ଜଣ ପୁଲିସ କର୍ମଚାରୀଙ୍କ ନାମ ପାଠ କରାଯାଇ ସେମାନଙ୍କ ବୀରତ୍ୱ ଓ ବଳିଦାନକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ଦାଶ ( ଏସପି ପ୍ରମୋସନ) ଅତିରିକ୍ତ ଏସ୍ପି ଚିନ୍ମୟ କୁମାର ନାୟକ ଓ ପ୍ରଭା ଧାନ,ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ବହୁ ପୁଲିସ ଅଧିକାରୀ ଯୋଗଦେଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର ବଳିଆରସିଂହ ପ୍ୟାରେଡ୍ ପରିଚାଳନା କରିଥିବା ବେଳେ ସର୍ଜେଣ୍ଟ ଜଗନ୍ନାଥ ବରାଡ ସହଯୋଗ କରିଥିଲେ।


