ବ୍ରାଉନସୁଗର ଜବତ: ଅଭିଯୁକ୍ତ କୋର୍ଟ ଚାଲାଣ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଓ ଥାନା ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତ ଅଧିନ ଗଣେଶ ପଡ଼ିଆ ନିକଟରୁ ୧୦.୩୦ଗ୍ରାମ ବ୍ରାଉନସୁଗର,ମୋବାଇଲ ସହ ବାଇକ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଧାମନଗର ପୋଲିସ। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ଅଞ୍ଚଳର ଗଦାଧର ଥାଟୋଇ ନାମକ ଜଣେ ଯୁବକ ବାଇକରେ ନିଶାଦ୍ରବ୍ୟ ଦେବା ଉଦ୍ଦେଶ୍ୟରେ ଆସିଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ପୋଲିସକୁ ଖବର ଦେବା ପରେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଏଏସଆଇ ନରେନ୍ଦ୍ର ରାଉତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଟକ ଯୁବକଙ୍କ ସହ ତାଙ୍କ ନିକଟରୁ ପାଖାପାଖି ୫୦ରୁ ଊର୍ଷ ଛୋଟ ଛୋଟ ପୁଡ଼ିଆ ୧୦.୩୦ଗ୍ରାମ ବ୍ରାଉନସୁଗର ଜବତ କରିଥିଲେ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏଥିସହିତ ଏକ ବାଇକ,ମୋବାଇଲ,ମନିପର୍ସ କିଛି ନଗଦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଥାନା କେସ ନଂ ୪୫୪/୨୬ ୟୁ/ଏସ ୨୧(ବି)/୨୯(୧)ଏନ.ଡି.ପି.ଏସ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗଦାଧରକୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଏସଆଇ ନାରାୟଣ ନାୟକଙ୍କୁ ଘଟଣାର ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି ବୋଲି ଥାନା ଅଧିକାରୀ ଶୁଭ୍ରଜିତ ଦାଶ ସୂଚନା ଦେଇଛନ୍ତି।


